fbpx

WHO ରିପୋର୍ଟକୁ ନେଇ ବଢ଼ିଲା ଚିନ୍ତା: ଶବ୍ଦ ପ୍ରଦୂଷଣ କାରଣରୁ ମଣିଷର ଆୟୁଷ କମୁଛି, ହୃଦଘାତ, ଉଚ୍ଚ ରକ୍ତଚାପ ଆଶଙ୍କା ବଢ଼ୁଛି

Advertisement

ନୂଆଦିଲ୍ଲୀ: ଆଜି ସମୟରେ ବାୟୁ ପ୍ରଦୂଷଣ ଏକ ଭୟଙ୍କର ସମସ୍ୟା ଭାବେ ଉଭା ହୋଇଛି । ପ୍ରତିବର୍ଷ ବାୟୁ ପ୍ରଦୂଷଣ କାରଣରୁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି । ଗତ ୨୦୨୦ରେ ଏହି କାରଣରୁ ୩୦ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଲକ୍ଷରୁ ଅଧିକ ସଂଖ୍ୟାରେ ୫ ବର୍ଷରୁ କମ୍ ବୟସର ଶିଶୁ ଥିଲେ । ତେବେ ବାୟୁ ପ୍ରଦୂଷଣ ପରି ଶବ୍ଦ ପ୍ରଦୂଷଣ ମଧ୍ୟ ଆଜି ଘାତ ହେବାରେ ଲାଗିଛି । ଭାରତରେ ଶବ୍ଦ ପ୍ରଦୂଷଣ ନିରବରେ ଜୀବନ ନେଉଥିବା ଜଣାପଡ଼ିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ଏକ ରିପୋର୍ଟ ମୁତାବକ, ଜଳବାୟୁ ପରବର୍ତ୍ତନ କାରଣରୁ ସମଗ୍ର ବିଶ୍ୱରେ ଆଜି ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ ଭୟଙ୍କର ରୂପ ଧାରଣ କରିଛି । ଶବ୍ଦ କାରଣରୁ ମଣିଷ ବିଭିନ୍ନ ଘାତକ ରୋଗରେ ସଂକ୍ରମିତ ହେଉଛି । ତେବେ ସହରରେ ଶବ୍ଦ ପ୍ରଦୂଷଣର ମାତ୍ରା ସର୍ବାଗ୍ରେ ରହିଛି । ଶବ୍ଦ ପ୍ରଦୂଷଣ ମଣିଷର ଆୟୁଷ ହ୍ରାସ କରୁଥିବା ନେଇ ପ୍ୟାରିସ୍ ସ୍ୱାସ୍ଥ୍ୟ ଏଜେନ୍ସି ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି ।

ଶବ୍ଦ ପ୍ରଦୂଷଣ କାରଣରୁ ପ୍ୟାରିସରେ ରହୁଥିବା ଲୋକଙ୍କର ଆୟୁଷ ହାରାହାରି ୧୦.୭ ମାସ କମିଯାଉଛି । କେବଳ ପ୍ୟାରିସରେ ନୁହେଁ, ବିଶ୍ୱର ବହୁ ବଡ଼ ବଡ଼ ସହରର ଅବସ୍ଥା ମଧ୍ୟ ସଙ୍କଟଜନକ ରହିଛି । ଶବ୍ଦ କାରଣରୁ ମଣିଷର ସ୍ୱାସ୍ଥ୍ୟ ଅଧିକ ଜଟିଳ ହୋଇଯାଉଛି । ଆମେରିକାର ମାସାଚୁସେଟସ ଜେନେରାଲ ହସ୍ପିଟାଲ ଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁଯାୟୀ, ଉଚ୍ଚ ଶବ୍ଦ ଦ୍ୱାରା ମଣିଷ ଶରୀରରୁ ଅନେକ ପ୍ରକାରର ରାସାୟନିକ ପଦାର୍ଥ ବାହାରିଥାଏ ।

ଏହା ଆମର ହୃଦସ୍ପନ୍ଦନ ଓ ରକ୍ତଚାପକୁ ବୃଦ୍ଧି କରିଥାଏ । ସେଥିପାଇଁ ଟ୍ରାଫିକରେ ଅଧିକ ସମୟ ରହୁଥିବା ଲୋକଙ୍କ ଠାରେ ୫ ବର୍ଷରେ ହୃଦଘାତ ହେବାର ଆଶଙ୍କା ବଢ଼ିଯାଇଥାଏ । ୫୩ ଡେସିବଲରୁ ଅଧିକ ଶବ୍ଦ ଓ ୪୫ ଡେସିବଲର ବିମାନ ଉଡ଼ାଣ ସମୟର ଶବ୍ଦ ମଣିଷକୁ କ୍ଷତି ପହଞ୍ଚାଇଥାଏ । ଉତ୍ତରପ୍ରଦେଶର ମୋରାଦାବାଦ ଦ୍ୱିତୀୟ ସର୍ବାଧିକ ପ୍ରଦୂଷିତ ସହର ବୋଲି ଗତ ୨୦୨୨ର ଜାତିସଂଘର ପରିବେଶ କାର୍ଯ୍ୟକ୍ରମର ରିପୋର୍ଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.