fbpx

Twitterର ପରବର୍ତ୍ତୀ CEO ହେବେ ଲିଣ୍ଡା ୟାକାରିନୋ! କିଏ ଏହି ମହିଳା, ଜାଣନ୍ତୁ ତାଙ୍କ ବିଷୟରେ

Advertisement

ନୂଆଦିଲ୍ଲୀ: ଟ୍ୱିଟରର ପରବର୍ତ୍ତୀ ସିଇଓ ଦାୟିତ୍ୱ ସମ୍ଭାଳିବେ ଜଣେ ମହିଳା । ଆସନ୍ତା ୬ ସପ୍ତାହ ମଧ୍ୟରେ ନୂଆ ସିଇଓ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ଟ୍ୱିଟରର ବର୍ତ୍ତମାନର ସିଇଓ ଏଲନ ମସ୍କ ଘୋଷଣା କରିଛନ୍ତି । ତେବେ ଏଲନ ସିଇଓ ପଦରୁ ଇସ୍ତଫା ଦେବା ନେଇ ଟ୍ୱିଟ କରି ସୂଚନା ଦେଇଥିଲେ ହେଁ ନୂଆ ସିଇଓଙ୍କ ନାମ ଘୋଷଣା କରିନାହାନ୍ତି ।

ତେବେ ଏକ ରିପୋର୍ଟ ମୁତାବକ, ଲିଣ୍ଡା ୟାକାରିନୋ ଟ୍ୱିଟରର ପରବର୍ତ୍ତୀ ସିଇଓ ଦାୟିତ୍ୱ ସମ୍ଭାଳିବେ । କମକାଷ୍ଟ ଏନବିସି ୟୁନିଭର୍ସାଲର ଆଡଭର୍ଟାଇଜିଂ ହେଡ ଲିଣ୍ଡାଙ୍କ ସହିତ ଏଲନ ଏ ବାବଦରେ କଥାବାର୍ତ୍ତା କରିଛନ୍ତି । ଲିଣ୍ଡାଙ୍କୁ ଟ୍ୱିଟରର ନୂଆ ସିଇଓ ଭାବେ ଏଲନ ଚୟନ କରିଛନ୍ତି । ତେଣୁ ଖୁବଶୀଘ୍ର ଲିଣ୍ଡା ନୂଆ ପଦରେ ନିଯୁକ୍ତି ପାଇବେ । ମାତ୍ର ଏ ବାବଦରେ ଲିଣ୍ଡାଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ଆସିନାହିଁ । ଟ୍ୱିଟର ଚଳାଇବା ‘ବହୁତ ଦୁଃଖଦାୟକ’ ବୋଲି ନିକଟରେ ଏଲନ କହିଥିଲେ ।

ଲିଣ୍ଡାଙ୍କ ଲିଙ୍କଡଇନ୍ ପ୍ରୋଫାଇଲ ଅନୁସାରେ, ସେ ଗତ ୨୦୧୧ ମସିହା ଠାରୁ ଏନବିସି ୟୁନିଭର୍ସାଲ ସହିତ ଜଡ଼ିତ ରହିଛନ୍ତି । ସେ ଏବେ ଗ୍ଲୋବାଲ ଆଡଭର୍ଟାଇଜିଂ ଓ ପାର୍ଟନରଶିପର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ । ଏହାପୂର୍ବରୁ ସେ କମ୍ପାନୀର କେବଲ ଇଣ୍ଟରନେଟ ଓ ଡିଜିଟାଲ ବିଜ୍ଞାପନ ସେଲସ୍ ବିଭାଗରେ କାର୍ଯ୍ୟ କରୁଥିଲେ । ଲିଣ୍ଡା ଟର୍ଣ୍ଣରରେ କାର୍ଯ୍ୟନିର୍ବାହୀ ଭାଇସ୍ ପ୍ରେସିଡେଣ୍ଟ / ସିଇଓ ଆଡଭର୍ଟାଇଜିଂ ସେଲସ, ମାର୍କେଟିଂ ଓ ଅଧିଗ୍ରହଣ କ୍ଷେତ୍ରରେ୧୯ ବର୍ଷ ଧରି କାମ କରିଥିଲେ । ସେ ପେନ ଷ୍ଟେଟ ୟୁନିଭରସିଟିର ଜଣେ ଛାତ୍ରୀ ଥିଲେ ଓ ଲିବରାଲ ଆର୍ଟସ ଓ କମ୍ୟୁନିକେସନ କ୍ଷେତ୍ରରେ ଶିକ୍ଷାଗ୍ରହଣ କରିଥିଲେ । ସେ ଟ୍ୱିଟରର ସିଇଓ ହେବାକୁ ଇଚ୍ଛୁକ ଥିବା ନେଇ ତାଙ୍କର ଜଣେ ବନ୍ଧୁଙ୍କୁ କହିଥିବା ବିଜିନେସ ଇନସାଇଡର ରିପୋର୍ଟରୁ ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ପରାଗ ଅଗ୍ରୱାଲଙ୍କୁ କମ୍ପାନୀର ସିଇଓ ପଦରୁ ହଟାଇବା ପରେ ଏଲନ ଗୋଟିଏ କୁକୁରର ଫଟୋ ଦେଇ ତାକୁ କମ୍ପାନୀର ସିଇଓ କରିଦେଇଥିଲେ ।

Get real time updates directly on you device, subscribe now.