fbpx

ଭାରତୀୟ କ୍ରିକେଟରେ ହଲଚଲ୍: ୫ ଜଣ ଖେଳାଳିଙ୍କ ନିକଟରୁ ଜବତ ହେଲା ୨ ପେଟି ବିୟର ଓ ୨୭ଟି ମଦ ବୋତଲ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟକୁ ନେଇ ଏବେ ଭାରତୀୟ କ୍ରୀଡ଼ା ପ୍ରଶଂସକଙ୍କ ମଧ୍ୟରେ ନିରାଶା ଖେଳିଯାଇଛି । ଏହା ମଧ୍ୟରେ ପୁଣି ଟିମ୍ ଇଣ୍ଡିଆକୁ ଲାଗିଛି ଦୁଇଟି ବଡ଼ ଝଟକା । ଭାରତୀୟ ଦଳର ଦୁଇ ପ୍ରମୁଖ ଖେଳାଳି ରବିନ୍ଦ୍ର ଜାଡ଼େଜା ଓ କେ.ଏଲ ରାହୁଲ ଦ୍ୱିତୀୟ ଟେଷଷ୍ଟରୁ ବାଦ୍ ପଡ଼ିଛନ୍ତି ।

ତେବେ ଏହା ମଧ୍ୟରେ ଭାରତୀୟ କ୍ରୀଡ଼ା ଜଗତରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । ଏକ ଘରୋଇ ଟିମର ୫ ଜଣ ଖେଳାଳିଙ୍କ ନିକଟରୁ ବହୁ ପରିମାଣର ମଦ ଜବତ କରାଯାଇଛି । ଏପରିସ୍ଥିତିରେ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଏହି ଖେଳାଳିମାନେ ଏବେ ପ୍ରଶ୍ନ ଘେରକୁ ଆସିଯାଇଛନ୍ତି । ୨ ପେଟି ବିୟର ଓ ୨୭ଟି ମଦ ବୋତଲ ଖେଳାଳିଙ୍କ ନିକଟରୁ ମିଳିଛି । ସୌରାଷ୍ଟ୍ରର ଅଣ୍ଡର-୨୩ ଟିମର ଏହି ଖେଳାଳିଙ୍କୁ ନେଇ ଏେବେ କ୍ରୀଡ଼ା ଜଗତରେ ହଲଚଲ ସୃଷ୍ଟି ହୋଇଛି ।

ସୌରାଷ୍ଟ୍ର କ୍ରିକେଟ ଆସୋସିଏସନର ଅଣ୍ଡର-୨୩ ଟିମର ୫ ଜଣ କ୍ରିକେଟରଙ୍କ କିଟରୁ ଚଣ୍ଡିଗଡ଼ ଏୟାରପୋର୍ଟରେ ବିପୁଳ ମାତ୍ରାରେ ମଦ ଜବତ କରାଯାଇଥିଲା । ସି.କେ ନାଇଡ଼ୁ ଟ୍ରଫିରେ ଆୟୋଜଚ ଚଣ୍ଡିଗଡ଼ ବିପକ୍ଷରେ ସୌରାଷ୍ଟ୍ର ବିଜୟ ହାସଲ କରିବା ପରେ ଗତ ୨୫ ତାରିଖରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଖେଳାଳିମାନେ ଚଣ୍ଡିଗଡ଼ରୁ ରାଜକୋଟ ଯାଉଥିଲେ । ବିମାନବନ୍ଦରରେ କାର୍ଗୋରେ ଜିନିଷ ରଖିବା ପୂର୍ବରୁ ଯାଞ୍ଚ ସମୟରେ ଖେଳାଳିମାନେ ମଦ ରଖିଥିବା ନେଇ ଧରାପଡ଼ିଥିଲେ । ତେବେ ଏହି ଘଟଣାକୁ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଗୁରୁତ୍ୱର ସହ ନେଇଥିବା ବେଳେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଓ ଅସହନୀୟ ବୋଲି କୁହାଯାଇଛି । ଅନୁଶାସନ କମିଟି ଓ ଶୀର୍ଷ ପରିଷଦ ଏହି ଘଟଣାର ଯାଞ୍ଚ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ପୋଲିସ ପକ୍ଷରୁ ଏନେଇ କୌଣସି ମାମଲା ଦାୟର କରାଯାଇନାହିଁ । ସୂଚନାଯୋଗ୍ୟ ଯେ, ଗୁଜରାଟ ଏକ ଡ୍ରାଇ ଷ୍ଟେଟ ହୋଇଥିବାରୁ ରାଜ୍ୟକୁ ମଦ ନେବାକୁ କାହାକୁ ଅନୁମତି ମିଳିନଥାଏ ।

Get real time updates directly on you device, subscribe now.