fbpx

ଆଡଭାନୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ କି BJP, ଗୁରୁଦକ୍ଷିଣା ଦେଇ ନିଜର କଥା ରଖିବେ କି ମୋଦୀ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସମାପ୍ତ ହେବ । ତେବେ ନିକଟରେ ପାଞ୍ଚଟି ରାଜ୍ୟର ବିଧାନସଭାର ନିର୍ବାଚନର ଫଳାଫଳ ଘୋଷଣା ପରେ ବିଜେପିର ନଜର ଏବେ ରାଷ୍ଟ୍ରପତି ନିର୍ବାଚନ ଉପରେ । ଲୋକସଭାରେ ବିଜେପି ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ମଜବୁତ ସ୍ଥିତିରେ ରହିଥିଲେ ରାଜ୍ୟସଭାରେ ନାହିଁ । ରାଜନୈତିକ ଗଣିତ ଅନୁସାରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ରାଷ୍ଟ୍ରପତି ନିର୍ବାଚନର ଜିତିବା ସଂଖ୍ୟାଠାରୁ ମାତ୍ର ୧.୨ ପ୍ରତିଶତ ଭୋଟ ପଛରେ ରହିଛି । ତେଣୁ ଗେରୁଆ ଦଳ ବର୍ତ୍ତମାନ ଓଡ଼ିଶାର ବିଜେଡି, ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ଭଳି କିଛି ଆଞ୍ଚଳିକ ଦଳକୁ ନିଜ ସପକ୍ଷକୁ ନେବାକୁ ପ୍ରୟାସ କରୁଛି । ତେବେ ମୋଟାମୋଟି ଭାବେ କହିବାକୁ ଗଲେ ବିଜେପି କଳେବଳେ କୌଣସି ନିଜର ପ୍ରାର୍ଥୀଙ୍କୁ ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଜିତାଇବା ନେଇ ଶତ ପ୍ରତିଶତ ଆଶାବାଦୀ ରହିଛି ।

ତେବେ ଏଠାରେ ପ୍ରଶ୍ନ ଉଠିଛି, ଏଥର ଏନଡିଏ ପକ୍ଷରୁ କିଏ ହେବ ରାଷ୍ଟ୍ରପତି ପ୍ରାର୍ଥୀ? ଗତ ୨୦୧୭ ନିର୍ବାଚନରେ ଅନେକ ଆଶାୟୀଙ୍କ ନାମ ଶୁଣାଯାଉଥିଲେ ହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷରେ ରାମନାଥ କୋବିନ୍ଦଙ୍କ ନାମ ଘୋଷଣା କରି ସମସ୍ତଙ୍କୁ ଚମକ୍ରୃତ କରିଦେଇଥିଲେ । ଯେଉଁ କିଛି ନେତାଙ୍କ ନାମ ରାଷ୍ଟ୍ରପତି ପଦ ପାଇଁ ଶୁଣାଯାଉଛି ସେମାନଙ୍କ ମଧ୍ୟରେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କର୍ଣ୍ଣାଟକ ରାଜ୍ୟପାଳ ଥୱରଚାନ୍ଦ ଗେହଲଟ, କେରଳ ରାଜ୍ୟପାଳ ଆରିଫ୍ ଅହମ୍ମଦ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଛତିଶଗଡ଼ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ରହିଛନ୍ତି ।

ତେବେ ବିଜେପିର ବରିଷ୍ଠ ନେତା ଭୀଷ୍ମ ପିତାମହ ଲାଲକୃଷ୍ଟ ଆଡଭାନୀଙ୍କ ନାମ ମଧ୍ୟ କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ୨୦୨୨ ମସିହା ଗୁଜୁରାଟ ଦଙ୍ଗା ସମୟରେ ମୋଦୀ ମୁଖ୍ୟମନ୍ତ୍ରୀ ଭାବେ ବହୁତ ନିନ୍ଦିତ ହୋଇଥିଲେ । ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମୋଦୀଙ୍କୁ ହଟାଇବାକୁ ଡେପୁଟି ପିଏମ ଆଡଭାନୀଙ୍କୁ ପ୍ରସ୍ତାବ ଦେଇଥିଲେ ହେଁ ଆଡଭାନୀ ମୋଦୀଙ୍କ ସପକ୍ଷରେ ମତ ଦେଇଥିଲେ । ଗୁଜରାଟର ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ଭାରତବର୍ଷର ପ୍ରଧାନମନ୍ତ୍ରୀ ଦାୟିତ୍ୱ ବହନ କରିବା ପଛରେ ଆଡଭାନୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ତେବେ କ’ଣ ମୋଦୀ ଏହି ୯୪ ବର୍ଷୀୟ ପିତାମହଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରି ନିଜର ଗୁରୁଦକ୍ଷିଣା ଦେଇପାରିବେ? ରାଷ୍ଟ୍ରପତି ପଦ ଆଡଭାନୀଙ୍କ ପାଇଁ ଗୁରୁ ଦକ୍ଷିଣା ବୋଲି ୨୦୧୭ରେ ଗୁଜୁରାଟର ସୋମନାଥଠାରେ ଅନୁଷ୍ଠିତ ଏକ ଦଳୀୟ କାର୍ଯ୍ୟକ୍ରମ ଅବସରେ ମୋଦୀ ଘୋଷଣା କରିଥିଲେ । ତେବେ ଏହା ମଧ୍ୟରେ ୨୦୧୭ର ରାଷ୍ଟ୍ରପତି ନିର୍ବାଚନ ସମାପ୍ତ ହୋଇସାରିଥିଲେ ହେଁ ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ମୋଦୀ କ’ଣ ନିଜର ଗୁରୁଦକ୍ଷିଣା ବଚନ ରଖିପାରିବେ?

Get real time updates directly on you device, subscribe now.