fbpx

ଓମ୍ ବିର୍ଲା ମାରିଲେ ମୋହର, କେ. ସୁରେଶଙ୍କୁ ହରାଇ ହେଲେ ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ: ଆଜି ଲୋକସଭା ଭବନରେ ଚାଲିଥିଲା ବାଚସ୍ପତି ନିର୍ବାଚନ । ଏଥିରେ ବାଜି ମାରିଛନ୍ତି ବିଜେପି ସାଂସଦ ଓମ୍ ବିର୍ଲା । ତାଙ୍କ ବିପକ୍ଷ ପ୍ରାର୍ଥୀ କଂଗ୍ରେସ କେ. ସୁରେଶଙ୍କୁ ହରାଇ ସେ ଲୋକସଭା ବାଚସ୍ପତି ହୋଇଛନ୍ତି । ଦେଶରେ ଏହା ପ୍ରଥମ ବାଚସ୍ପତି ନିର୍ବାଚନ ଥିଲା । ଯେଉଁଥିରେ ସରକାରଙ୍କ ଏନଡିଏ ଏବଂ ବିରୋଧୀ ଇଣ୍ଡିଆ ମେଣ୍ଟ ମଧ୍ୟରେ ଲଢେଇ ଚାଲିଥିଲା ।

ଓମ ବର୍ଲା ବାଚସ୍ପତି ଭାବେ ନିର୍ବାଚିତ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ମୁଁ ପୁରା ଲୋକସଭା ଭବନକୁ ଧନ୍ୟବାଦ ଜଣାଉଛି । ଆମ ସମସ୍ତଙ୍କର ବିଶ୍ୱାସ ଯେ, ଆଗାମୀ ୫ ବର୍ଷରେ ଆପଣ ଆମ୍ଭମାନଙ୍କର ମାର୍ଗଦର୍ଶନ କରିବେ । ଆପଣଙ୍କ ମୁହଁରେ ମିଠା ମିଠା ହସ ପୁରା ସଂସଦକୁ ଖୁସି ରଖିଥାଏ । ପ୍ରଧାନମନ୍ତ୍ରୀ ମୋଦୀ ପୁଣି କହିଛନ୍ତି ଯେ, ୧୮ତମ ଲୋକସଭାରେ ବାଚସ୍ପତି ଭାବେ ଦ୍ୱିତୀୟ ଥର ପାଇଁ ପଦବୀ ସମ୍ଭାଳିବାର ଦାୟିତ୍ୱ ବହନ କରିଥିବାରୁ ଓମ ବିର୍ଲା ରେକର୍ଡ ସୃଷ୍ଟି କରିଛନ୍ତି ।

ଲୋକସଭା ପ୍ରତିପକ୍ଷ ରାହୁଲ ଗାନ୍ଧୀ ଲୋକସଭା ବାଚସ୍ପତି ହେବା ନେଇ ଓମ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ସରକାରଙ୍କ ପାଖରେ ନମ୍ବର ଅଛି । କିନ୍ତୁ ବିରୋଧୀଙ୍କ ପାଖେ ଭାରତୀୟଙ୍କ ସ୍ୱର ଅଛି । ରାହୁଲ ଗାନ୍ଧୀ କହିଛନ୍ତି ଯେ, ବିରୋଧୀ ଆପଣଙ୍କ କାମରେ ଆପଣଙ୍କୁ ସହାୟତା କରିବାକୁ ଚାହୁଁଛନ୍ତି, ମୋତେ ବିଶ୍ୱାସ ରହିଛି ଯେ, ଆପଣ ଆମକୁ ଭବନରେ କଥା କହିବାକୁ ଅନୁମତି ଦେବେ ।

ସମାଜବାଦୀ ପାର୍ଟୀର ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ ଓମ ବିର୍ଲାଙ୍କୁ ବାଚସ୍ପତି ହେବା ନେଇ ଅଭିନନ୍ଦନ ଜଣାଇଛନ୍ତି । ‘ମୁଁ ଆପଣଙ୍କୁ ନିଜ ସମସ୍ତ ସାଂସଦମାନଙ୍କ ପକ୍ଷରୁ ଅଭିନନ୍ଦନ ଜଣାଉଛି । ଲୋକସଭା ବାଚସ୍ପତି ଭାବେ ଆପଣ ପ୍ରତି ସଦସ୍ୟଙ୍କୁ ସମାନ ବାବେ ସୁଯୋଗ ଏବଂ ସମ୍ମାନ ଦେବେ ।’

Get real time updates directly on you device, subscribe now.