ଜଗତସିଂହପୁର,(ଭାସ୍କର ନ୍ୟୁଜ): ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟଙ୍କ ଠାରୁ ଟଙ୍କା ଏବଂ ଗାଡ଼ି ଡ଼କାୟତି କରି ନେଇଥିବା ଘଟଣାରେ ରବିବାର ଜଗତସିଂହପୁର ପୋଲିସ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ।
ସୂଚନା ମୁତାବକ ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଜଣେ ମହିଳା ଏଜେଣ୍ଟଙ୍କ ଠାରୁ କିଛିଦିନ ତଳେ ନିଜ କଲେକ୍ସନ ଟଙ୍କା ଧରି ଫେରୁଥିବା ସମୟରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଓଡ଼ିଶୋ-ସାମନ୍ତରାୟପୁର ରାସ୍ତାରେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରି ଏକ ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ନଗଦ ୬୩,୦୦୦ ଟଙ୍କା ସମେତ ମହିଳାଙ୍କ ଏକ ହୋଣ୍ଡା ଆକ୍ଟିଭା ଗାଡ଼ିକୁ ମଧ୍ୟ ନେଇ ପଳାଇଥିଲେ । ଅଭିଯୋଗକୁ ଭିତ୍ତି କରି ଜଗତସିଂହପୁର ପୋଲିସ ଥାନା କେସ୍ ନଂ-୪୦/୨୦୨୨ ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଡକାୟତିେର ସମ୍ପୃକ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ, ନଗଦ ୩୨ ହଜାର ୨୮୦ଟଙ୍କା, ୪ଗୋଟି ମୋବାଇଲ, ଗୋଟିଏ ହୋଣ୍ଡା ସାଇନ ଗାଡ଼ି ଏବଂ ମହିଳା ଏଜେଣ୍ଟ ଜଣଙ୍କର ଆକ୍ଟିଭା ଗାଡ଼ିକୁ ମଧ୍ୟ ଜବତ କରିବାରେ ସକ୍ଷମ ହୋଇଛି । ତେବେ ଏହି ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ଜଣ ସ୍ଥାନୀୟ ଗ୍ରାମରେ ରହିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଭୁବନେଶ୍ୱର ସ୍ଥିତ ଭରତପୁର ଅଞ୍ଚଳରେ ରହୁଥିବାର ପୋଲିସ ସୂଚନା ଦେଇଛି । ତେବେ ଜଗତସିଂହପୁର ଥାନା ଅଧିକାରୀ ଏବଂ ଏସଡ଼ିପିଓ ଏହି ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବେ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରକାଶ କରିଛନ୍ତି ।