ଲସଏଞ୍ଜେଲସରୁ ହଲିଉଡ ଯାଏଁ ବ୍ୟାପିଲା ନିଆଁ: 5ଜଣଙ୍କ ମୃତ୍ୟୁ, ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର
ଲସ୍ଏଞ୍ଜେଲ୍ସରେ ଏକ ବଡ଼ ଧରଣର ବନାଗ୍ନି ଚିନ୍ତାର କାରଣ ସାଜିଛି । ହଜାରେ ଏକର ଜଙ୍ଗଲ ଜଳିପୋଡି ଛାରଖାର ।
ନୂଆଦିଲ୍ଲୀ: ଲସ୍ ଆଞ୍ଜେଲସ୍ ଚାରିପାଖରେ ଲାଗିଥିବା ଭୟଙ୍କର ଜଙ୍ଗଲୀ ନିଆଁ ବୁଧବାର ଦିନ ହଲିଉଡ୍ ହିଲ୍ସକୁ ବାପିଯାଇଛି । ହୁହୁ ହୋଇ ଜଳି ଯାଉଛି ଜଙ୍ଗଲ । ଏଥିରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ ମଧ୍ୟ କରାଯାଇଛି ।
ନିଆଁ ଏତେ ଭୟଙ୍କର ରହିଛି ଯେ, ଶହ ଶହ ଘର ନଷ୍ଟ ହୋଇଯାଇଛି । ଶୁଷ୍କ ବାୟୁ, ଘୂର୍ଣ୍ଣିଝଡ ଯୋଗୁଁ ନିଆଁ ଲିଭା କାର୍ଯ୍ୟରେ ବାଧା ଉପୁଜୁଥିବା କଥା ମଧ୍ୟ କୁହାଯାଇଛି । ନିଆଁ ଲାଗିବା ପରଠାରୁ ହଜାରେ ହେକ୍ଟର ପୋଡି ଯାଇଥିବା ଜଣାପଡିଛି ।
ଏନେଇ ଲସଏଞ୍ଜଲସ ମେୟର କରେନ ବାସ ସାମ୍ବାଦିକ ସମ୍ମିଳନୀ କରି ଏହା ସବୁଠାରୁ ଜଙ୍ଗଲି ନିଆଁ ଅଟେ । ବୁଧବାର ସନ୍ଧ୍ୟାରେ ଶୁଷ୍କ ହଲିଉଡ୍ ହିଲ୍ସରେ ଏକ ନୂତନ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ମୁଖ୍ୟ କ୍ରିଷ୍ଟିନ୍ କ୍ରାଉଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଏକର ଏକର ଜମି ଛାରଖାର: ଯାହା ଫଳରେ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ବାଧ୍ୟ କରାଯାଇଛି ଏବଂ ଲସ୍ ଆଞ୍ଜେଲସ୍ କାଉଣ୍ଟିରେ ଜଳୁଥିବା ଜଙ୍ଗଲ ନିଆଁ ସଂଖ୍ୟା ଅତି କମରେ ଛଅକୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇ ପାରି ନାହିଁ । ହଲିଉଡ ହିଲ୍ସରେ 50 ଏକର ଜମି ଜଳିଯାଇଛି । ଏଲ.ଏ. ଅଗ୍ନିଶମ ବିଭାଗ ଦକ୍ଷିଣରେ ହଲିଉଡ୍ ବୁଲେଭର୍ଡ, ଉତ୍ତରରେ ମୁଲହୋଲାଣ୍ଡ ଡ୍ରାଇଭ୍, ପୂର୍ବରେ 101 ଫ୍ରିୱେ ଏବଂ ପଶ୍ଚିମରେ ଲରେଲ୍ କାନିୟନ୍ ବୁଲେଭର୍ଡ ମଧ୍ୟରେ ଥିବା ଏକ ଅଞ୍ଚଳର ଲୋକଙ୍କ ପାଇଁ ଏକ ସ୍ଥାନାନ୍ତର ନିର୍ଦ୍ଦେଶ ଜାରି କରିଛି ।
ତେବେ ଡବଲି ଥିଏଟର ଯାଏଁ ନିଆଁ ବ୍ୟାପୁଥିବା କଥା କୁହାଯାଇଛି । ଏଠାରେ ଓସ୍କାର ଆୟୋଜିତ ହୋଇଥାଏ । ନିକଟରେ ଷ୍ଟୁଡିଓ ସିଟିରେ 3 ଘରେ ନିଆଁ ଲାଗିଯାଇଥିଲା । 50ରୁ ଅଧିକ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରଥିଲେ । ଏଥିରେ କୌଣସି କ୍ଷତି ହେବାର ସୂଚନା ନାହିଁ ।
ଜଙ୍ଗଲ ନିଆଁରେ ବାଧା ପବନ: ହଲିଉଡ୍ ଅଭିନେତା ଲେଇଟନ୍ ମିଷ୍ଟର ଏବଂ ଆଡାମ୍ ବ୍ରୋଡିଙ୍କ ଏକ ଘର ନଷ୍ଟ ହୋଇଥିବା ମଧ୍ୟ କୁହାଯାଉଛି । KTLA ଟେଲିଭିଜନର ଏରିଆଲ୍ ଭିଡିଓରେ ପାସିଫିକ୍ ପାଲିସାଡେସ୍ରେ ଧୂଆଁ ବାହାରିଥିବା ଦେଖାଯାଇଥିଲା ।
ବୁଧବାର ରାତିରେ ପବନ କମିବା ନେ ଆଶଙ୍କା କରାାଇଥିଲେ ମଧ୍ୟ ଏହା ସମ୍ଭବ ହୋଇପାରି ନଥିଲା । ବନ୍ୟଜନ୍ତୁମାନଙ୍କୁ ଏକ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁବାର ପର୍ଯ୍ୟନ୍ତ ଲସ୍ ଆଞ୍ଜେଲସ୍ କାଉଣ୍ଟିରେ ସ୍କୁଲ୍ ବାତିଲ କରାଯାଇଛି ।
ଲସ୍ ଆଞ୍ଜେଲସ୍ କାଉଣ୍ଟି ଅଗ୍ନିଶମ ମୁଖ୍ୟ ଆନ୍ଥୋନି ମାରୋନ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅନ୍ୟ ଛଅଟି ରାଜ୍ୟର ଅଗ୍ନିଶମ କର୍ମଚାରୀମାନଙ୍କୁ କାଲିଫର୍ନିଆ ପଠାଯାଇଛି । ଅଧିକାରୀମାନେ କହିଛନ୍ତି ଯେ ଜଳ ଅଭାବ ଯୋଗୁଁ ଉଚ୍ଚସ୍ତରୀୟ ପାସିଫିକ୍ ପାଲିସାଡେସ୍ରେ କିଛି ଜଳାଶୟ ମଧ୍ୟ ଶୁଖିଯାଇଛି । ଆମେ ଚରମ ସୀମାକୁ ଠେଲି ହୋଇ ଜଙ୍ଗଲ ନିଆଁ ସହିତ ସଂଘର୍ଷ କରୁଛୁ ବୋଲି ସେ କହିଛନ୍ତି ।
ଆସନ୍ତା 20 ତାରିଖରେ ଟ୍ରମ୍ପ ଶପଥ ନେବେ । ତେବେ ବାଇଡେନଙ୍କ କାର୍ଯ୍ୟକାଳ ଶେଷ ପୂର୍ବରୁ ତାଙ୍କର ଇଟାଲୀ ଗସ୍ତ ରହିଥିଲା । କିନ୍ତୁ ସେ ଏହାକୁ ବାତିଲ କରିଥିବା ନେଇ ହ୍ବାଇଟ୍ ହାଉସ ପକ୍ଷରୁ କୁହାଯାଇଛି ।