ଘରେ ପଶି ନାବାଳିକା ଛାତ୍ରୀଙ୍କୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କଲା ପ୍ରେମିକ
ଘରେ କେହି ନ ଥିବାର ସୁଯୋଗ ନେଲା ପ୍ରେମିକ। ଆଉ ITI ଛାତ୍ରୀ ଏକା ଘରେ ଥିବାର ଜାଣିବାକୁ ପାଇଲା। ତେଣୁ ଘରେ ପଶିଲା ଛୁରୀ ଭୁସି ହତ୍ୟା କଲା। ଆଉ ଫେରାର ହୋଇଗଲା।
ବ୍ରହ୍ମପୁର: ପୁଣି ଏକ ବର୍ବର ହତ୍ୟାକାଣ୍ଡ। ଘରେ ପଶି ୧୭ ବର୍ଷୀୟ ITI ଛାତ୍ରୀଙ୍କୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କଲା ପ୍ରେମିକ। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳାଇଦେଇଛି।
ଆପଣମାନେ ଭାବୁଥିବେ ଏହି ଘଟଣାଟି କୌଣସି ଅନ୍ୟ ଜିଲ୍ଲାର ହୋଇଥିବ। ହେଲେ ନା ଏହି ଜଘନ୍ୟା ହତ୍ୟାକାଣ୍ଡ ଘଟିଛି ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ। ଜଣେ ଯୁବକ ଜଣେ ଝିଅର ଘରେ ପଶି ତାକୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି।
ଘରେ ପଶି ହତ୍ୟା: ଘରେ କେହି ନଥିଲେ ଏକା ଥିଲା ନାବାଳିକା ଝିଅ ଜଣକ। ବାପା ମା କୌଣସି କାମରେ ବାହାରକୁ ଯାଇଥିଲେ। ଆଉ ଏହାର ସୁଯୋଗ ନେଇ ଯୁବକ ଜଣକ ଘରେ ପଶିଥିଲେ।
ପ୍ରଥମେ ଦୁହିଁଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଆଉ ପରେ ଯୁବକ ଜଣକ ଛାତ୍ରୀ ଜଣଙ୍କୁ ଅତି ନୃଶଂସ ଭାବେ ଛୁରୀ ଭୁସି ହତ୍ୟା କରିଥିଲେ। ଆଉ ସେଠାରୁ ଫେରାର ହୋଇଯାଇଥିଲେ।
ମୃତଦେହ ଉଦ୍ଧାର: ସୂଚନାନୂସାରେ, ଝିଅଟିର ବୟସ ୧୭ ବର୍ଷ। ମୃତ ଛାତ୍ରୀ ଜଣକ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI)ର ଛାତ୍ରୀ ଥିଲା। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଭିତରେ ପଡିଥିବାର ଦେଖିବାକୁ ପାଇଥିଲା।
ପୋଲିସ ମୃତଦେହକୁ ଘରୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ବ୍ରହ୍ମପୁର ଏସପି ସାରାଭାନା ବିବେକ ଏମ କହିଛନ୍ତି ଯେ ଆମେ ଦୁଇ ଜଣଙ୍କୁ ଅଟକ ରଖିଛୁ ଏବଂ ଅପରାଧର ପ୍ରକୃତ କାରଣ ଜାଣିବା ପାଇଁ ସେମାନଙ୍କୁ ପଚରାଉଚରା କରୁଛୁ।
ପ୍ରେମ ନେଲା ଜୀବନ: ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତର ମୃତକଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ପୋଲିସ ଅଧିକାରୀ କହିଛନ୍ତି ଯେ ତାଙ୍କ ବାପାମାଆ ତାଙ୍କ ଝିଅକୁ ଅଭିଯୁକ୍ତ ସହ ସମ୍ପର୍କ ନ ରଖିବା ପାଇଁ ତାଗିଦ କରିଥିଲେ।
କିନ୍ତୁ ସେମାନେ ସୋସିଆଲ ମିଡିଆ ମାଧ୍ୟମରେ ଯୋଗାଯୋଗରେ ରହିଥିଲେ। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଅଭିଯୁକ୍ତ ଜଣକ ତାଙ୍କ ବାପାମାଆଙ୍କ ଅନୁପସ୍ଥିତିରେ ପ୍ରାୟତଃ ତାଙ୍କ ଘରକୁ ଆସୁଥିଲେ। ଏ ସମ୍ପର୍କରେ ତଦନ୍ତ ଚାଲିଛି ବୋଲି ଏସପି କହିଛନ୍ତି।