fbpx

ବିବାହ ଲଗ୍ନ ଧାର୍ଯ୍ୟ ଦିନ ଫେରାର ହୋଇଗଲେ ଯୁବକ, ପ୍ରତାରଣା ଅଭିଯୋଗ ଆଣିବା ସହ ପ୍ରେମିକ ଦୁଆରେ ଧାରଣାରେ ବସିଲେ ପ୍ରେମିକା ଓ ଗ୍ରାମବାସୀ

ତିହିଡ଼ି,(ଭାସ୍କର ନ୍ୟୁଜ) : ଭଦ୍ରକ ଜିଲା ତିହିଡ଼ି ଥାନା ଭାଟପଡ଼ା ପଞ୍ଚାୟତ ଅଧୀନ ମିର୍ଜାପୁର ଗ୍ରାମର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ସେହି ଗ୍ରାମର ଜଣେ ଯୁବକ ପ୍ରତାରଣା କରିଥିବା ଥାନାରେ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପୁଲିସ ତଦନ୍ତ ଚଳାଇଛନ୍ତି । ଅପର ପକ୍ଷେ ଲଗ୍ନଧରା ହେବା ଦିନ ପ୍ରେମିକ ଫେରାର ହୋଇ ଯାଇଥିବା ବେଳେ ନ୍ୟାୟ ପାଇଁ ପ୍ରେମିକ ଦୁଆରେ ଗ୍ରାମବାସୀଙ୍କ ସହ ପ୍ରେମିକା ଧାରଣାରେ ବସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

ଅଭିଯୋଗରୁ ପ୍ରକାଶ ଯେ, ମିର୍ଜାପୁର ଗ୍ରାମର ଜଣେ ଯୁବକ ଦୀର୍ଘଦିନ ଧରି ସେହି ଗ୍ରାମର ଜଣେ ଯୁବତୀଙ୍କୁ ଭଲପାଇ ଆସୁଥିଲେ । ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ଏପରିକି ଏକ ମନ୍ଦିରରେ ଯୁବତୀଙ୍କୁ ଶଙ୍ଖା, ସିନ୍ଦୂର ପିନ୍ଧାଇ ବିବାହ କରି ଅଧିକ ସଂପର୍କ ରଖିଥିଲେ । ପରେ ଯୁବକ ଜଣକ ଯୁବତୀଙ୍କୁ ବିବାହ କରିବେ ନାହିଁ ବୋଲି କହିଥିଲେ । ଯୁବକଙ୍କ ଭିଣୋଇ ଯୁବତୀଙ୍କ ପରିବାର ସହିତ କଥା ହୋଇ ଜୁନ୍‌ ୧୦ ତାରିଖରେ ଲଗ୍ନଧରା ଯିବ ଓ ୧୬ ତାରିଖରେ ବିବାହ ହେବ ବୋଲି କହିଥିଲେ । ମାତ୍ର ୧୦ ତାରିଖ ଦିନ ଯୁବତୀଙ୍କ ପରିବାର ପକ୍ଷରୁ ଲଗ୍ନଧରା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଯୁବକ ଜଣ ଫେରାର ହୋଇ ଯାଇଥିଲେ । ଏହା ଜାଣିବା ପରେ ଯୁବତୀଙ୍କ ପରିବାର ବିଚଳିତ ହୋଇ ପଡ଼ିଥିଲେ । ଗ୍ରାମବାସୀମାନେ ଏହା ଜାଣିବା ପରେ ସେମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତେବେ ପ୍ରେମିକା ଜଣକ ନ୍ୟାୟ ପାଇଁ ମିର୍ଜାପୁର ଗ୍ରାମର ୱାର୍ଡ଼ସଭ୍ୟ ବିଜୟ ଜେନା, ସୁମତୀ ଜେନା, ସୁକାନ୍ତୀ ଜେନା, ସରସ୍ୱତୀ ଜେନା, ମାନସୀ ଜେନା, ଶାନ୍ତିଲତା ଜେନା, ସବିତା ଜେନା, ଅନ୍ନପୂର୍ଣ୍ଣା ଜେନା, ତାରାକାନ୍ତ ଜେନା, ଗୋଲକ ଜେନା, ରବୀନ୍ଦ୍ର ଜେନା, ମଦନ ଜେନା, ମଞ୍ଜୁଜେନା, ପ୍ରଶାନ୍ତ ଜେନା, ନାରାୟଣ ଜେନା, ସତ୍ୟବ୍ରତ ଦଳେଇ, ବିକାଶ ମପା, ଅଶୋକ ବାରିକ, ଅନୁ ଦାସ, ବୀରେନ୍ଦ୍ର ଦାସ, ଅଜୟ ଦାସ, ଗୟାଧର ହାତୀ ପ୍ରମୁଖ ଗ୍ରାମବାସୀଙ୍କ ସମର୍ଥନରେ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଥିବା ଜଣା ଯାଇଛି ।

Get real time updates directly on you device, subscribe now.