fbpx

ଆଗାମୀ ୧୨ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ: ଓଡ଼ିଶାର ୧୪ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅବଶିଷ୍ଟ ୧୬ ଜିଲ୍ଲାରେ ମଧ୍ୟ ଲଘୁଚାପଜନିତ ବର୍ଷା ଲାଗି ରହିବ ।

ତେବେ ଲଘୁଚାପ ଯୋଗୁଁ ୨ ଦିନ ରାଜ୍ୟରେ ପ୍ରବଳ ବର୍ଷାର ହେବ । ଆଜି ଉପକୂଳ ଓ ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ, ଅକସ୍ମାତ ବନ୍ୟା ଓ ତଳି ଅଞ୍ଚଳରେ ପାଣି ଜମିବା ଭଳି ସ୍ଥିତି ଉପୁଜିପାରେ । ତେଣୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବର୍ଷା ସମୟରେ ୪୫ରୁ ୬୫ କି.ମି. ବେଗରେ ପବନ ବହିବ । ସମୁଦ୍ର ଅଶାନ୍ତ ହେବାର ଥିବାରୁ ୧୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି ।

ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ର ଟେନ୍‌ସାରେ ସର୍ବାଧିକ ୧୧୩.୪ ମି.ମି. ବର୍ଷା ରେକର୍ଡ କରାଯାଇଥିବାବେଳେ ଦେବଗଡ଼ରେ ୧୧୨.୫ ମି.ମି., ବରଗଡ଼ରେ ୧୦୭ ମି.ମି. ବର୍ଷା ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ଇଂଜିନିୟର ଇନ୍‌ ଚିଫ୍‌ ବିଜୟ ମିଶ୍ର କହିଛନ୍ତି ଯେ, ବର୍ଷା ଲାଗି ରହିଥିବାରୁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି । ତେବେ ବନ୍ୟା ଆଶଙ୍କା ବିଶେଷ ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସ୍ଥିତି ଉପରେ ନଜର ରଖାଯାଇଛି ।

Get real time updates directly on you device, subscribe now.