fbpx

ଆସୁଛି ଲଘୁଚାପ: ୫ତାରିଖରୁ ବଢିବ ବର୍ଷାର ବିସ୍ତୃତି, ରାଜ୍ୟରେ ଲାଗିରହିଛି ଗୁଳୁଗୁଳି

ଭୁବନେଶ୍ୱର: ଆନ୍ଧ୍ର ଉପକୂଳ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨ ସପ୍ତାହ ମଧ୍ୟରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଥମଟି ସେପ୍ଟେମ୍ବର ୮ ମଧ୍ୟରେ ଏବଂ ଦ୍ୱିତୀୟଟି ସେପ୍ଟେମ୍ବର ୯ରୁ ୧୫ ମଧ୍ୟରେ ସୃଷ୍ଟି ହୋଇପାରେ ଏହାର ପ୍ରଭାବରେ ରାଜ୍ୟରେ ୫ ତାରିଖରୁ ପାଗରେ ପରିବର୍ତ୍ତନ ହେବ । ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିବ । ବର୍ଷା ପରିମାଣ ବଢ଼ିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ଖରାରୁ ମୁକ୍ତି ମିଳିବା ସମ୍ଭାବନା କମ୍ । ଏହି ସମୟରେ ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହାକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଶନିବାର ମାଲକାନଗିରି , କୋରାପୁଟ , ନବରଙ୍ଗପୁର , କଳାହାଣ୍ଡି , ରାୟଗଡ଼ା , ଗଜପତି , ଗଞ୍ଜାମ , କନ୍ଧମାଳ , ବଲାଙ୍ଗୀର , ସୋନପୁର , ବୌଦ୍ଧ , ନୟାଗଡ଼ , ଅନୁଗୋଳ , ଢେଙ୍କାନାଳ , କଟକ , କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୪ ତାରିଖରେ ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର , ମୟୂରଭଞ୍ଜ , ଦେବଗଡ଼ ଓ ବାଲେଶ୍ବର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ରାଜ୍ୟରେ ଦୁଇ ସପ୍ତାହ ହେଲା ମୌସୁମୀ ଦୁର୍ବଳ ଅବସ୍ଥାରେ ରହିଛି । ଏହାର ପ୍ରଭାବରେ ତାପମାତ୍ରା ବୃଦ୍ଧି ପାଇଛି । ଏପରି କି କେତେକ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ସେଲ୍‌ସିୟସ ପାର୍ କରିଛି । ଶୁକ୍ରବାର ଚାନ୍ଦବାଲିରେ ସର୍ବୋଚ୍ଚ ତାପମାତ୍ରା ୩୬.୭ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି । ପ୍ରବଳ ଗ୍ରୀଷ୍ମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଉଚ୍ଚ ତାପମାତ୍ରା ଏବଂ ଆର୍ଦ୍ରତା ପ୍ରଭାବରେ ଉପକୂଳ ସମେତ ବିଭିନ୍ନ ଆଭ୍ୟନ୍ତରୀଣ ଜିଲାଗୁଡ଼ିକରେ ଗୁଳୁଗୁଳି ଜାରି ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି ।

 

Get real time updates directly on you device, subscribe now.