ଭୁବନେଶ୍ୱର,୧୩ ।୩(ଓଡିଶା ଭାସ୍କର) : ଦେଶର ଅନେକ ରାଜ୍ୟରେ ପୁଣି କରୋନା ମୁଣ୍ଡବିନ୍ଧାର କାରଣ ପାଲଟିଛି । କିନ୍ତୁ ଓଡିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି । ଗତବର୍ଷ ମାର୍ଚ୍ଚ ୧୨ରେ ରାଜ୍ୟ କ୍ୟାବିନେଟ୍ ସଂଶୋଧିତ ମହାମାରୀ ଆଇନକୁ ମଞ୍ଜୁରୀ ଦେଇଥିଲା । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଗତବର୍ଷ ଆଜିର ଦିନରେ କରୋନା ମହାମାରୀକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲା ।
ଏଥିରେ ରାଜ୍ୟକୁ ସଫଳତା ମିଳିଥିବା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି । ସେ କହିଛନ୍ତି ଯେ, ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ଆଗୁଆ ନିଷ୍ପତ୍ତି ଯୋଗୁଁ ରାଜ୍ୟ କୋଭିଡ୍ ମୁକାବିଲାରେ ସଫଳତା ପାଇଛି । ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସୁସ୍ଥତା ହାର ଅଧିକ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଆଗୁଆ ବା ପ୍ରାକ୍ ପ୍ରସ୍ତୁତି ପଦକ୍ଷେପ ଯୋଗୁଁ ଜନଜୀବନ ବଞ୍ଚି ପାରିଛି ବୋଲି କହିଛନ୍ତି ମନ୍ତ୍ରୀ ।’
ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି । କିନ୍ତୁଏବେ ଅନ୍ୟ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଜନସାଧାରଣ ପୂର୍ବ ଭଳି ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏହା ସହ ରାଜ୍ୟରେ ଲକଡାଉନ୍ ଲାଗୁ କରାଯିବା ନେଇ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି- ସ୍ଥିତି ଦେଖି ପଦକ୍ଷେପ ନିଆଯିବ । ଲୋକମାନେ ସଚେତନ ନହେଲେ ବା ସଂକ୍ରମଣ ବଢିଲେ ପୁଣି ଓଡିଶାରେ ଲକ-ଡାଉନ୍ ଲାଗୁ ହୋଇପାରେ ।