ଲଖନଉ: ଲଖନଉର ଏକ ସ୍ୱତନ୍ତ୍ର କୋର୍ଟ ଜମି ବିବାଦରେ ପଡ଼ୋଶୀଙ୍କୁ ଫସାଇବା ପାଇଁ ଦଳିତ ଉତ୍ପୀଡ଼ନର ଫର୍ଜି ମାମଲା ରୁଜୁ କରିଥିବା ଜଣେ ଓକିଲଙ୍କୁ ୧୦ ବର୍ଷର କାରାଦଣ୍ଡ ସହ ୨.୫୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛି। ଏସସି/ଏସଟି ଆକ୍ଟର ସ୍ୱତନ୍ତ୍ର ବିଚାରପତି ବିବେକାନନ୍ଦ ଶରଣ ତ୍ରିପାଠୀଙ୍କ ଅଦାଲତ ଏହି ରାୟ ଶୁଣାଇ ଓକିଲ ଲାଖନ ସିଂହଙ୍କ ବିରୋଧରେ କଠୋର ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି, “ଚତୁର ଶିକାରୀ ନିଜେ ଶୀଘ୍ର ଜାଲରେ ଫସିଯାଏ।” ଏହାସହ ଅଦାଲତ ଲାଖନଙ୍କୁ କୋର୍ଟ ପରିସରରେ ପ୍ରବେଶ ଉପରେ ମଧ୍ୟ ରୋକ ଲଗାଇଛନ୍ତି।
ମାମଲା କ’ଣ ?
ଲାଖନ ସିଂହଙ୍କର ପଡ଼ୋଶୀ ସୁନୀଲ ଦୁବେଙ୍କ ସହ ଜମି ବିବାଦ ଚାଲିଥିଲା। ଏହି ବିବାଦରେ ସୁନୀଲଙ୍କୁ ଫସାଇବା ପାଇଁ ଲାଖନ ୧୫ ଫେବୃଆରୀ ୨୦୧୪ରେ ବିକାଶନଗର ଥାନାରେ ଏକ ଫର୍ଜି ମାମଲା ରୁଜୁ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ସୁନୀଲ ଓ ତାଙ୍କ ସାଙ୍ଗମାନେ ତାଙ୍କୁ ହତ୍ୟା ଉଦ୍ୟମ, ଜାନେମାଲ ଧମକ, ତୋଡ଼ଫୋଡ଼, ଗାଳିଗଲାଜ ଏବଂ ଏସସି/ଏସଟି ଆକ୍ଟ ଅନ୍ତର୍ଗତ ଦଳିତ ଉତ୍ପୀଡ଼ନ କରିଛନ୍ତି। କିନ୍ତୁ ପୋଲିସ ତଦନ୍ତରେ ଏହା ସମ୍ପୂର୍ଣ୍ଣ ମିଛ ବୋଲି ପ୍ରମାଣିତ ହେଲା। ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ ଅନୁସାରେ, ଲାଖନଙ୍କ ଅଭିଯୋଗର ମୌଳିକ ତଥ୍ୟ ବାସ୍ତବ ପରିସ୍ଥିତି ସହ ମେଳ ଖାଉନଥିଲା।
କୋର୍ଟରେ ଚାଞ୍ଚଲ୍ୟକର ରାୟ
ସ୍ୱତନ୍ତ୍ର ବିଚାରପତି ତ୍ରିପାଠୀ ତାଙ୍କ ରାୟରେ କହିଛନ୍ତି ଯେ ଲାଖନ ସିଂହ ଏସସି/ଏସଟି ଆକ୍ଟର ନାଁରେ ପ୍ରାୟ ୨୦ଟି ଫର୍ଜି ମାମଲା ରୁଜୁ କରି ଅନେକ ନିରୀହ ବ୍ୟକ୍ତିଙ୍କୁ ବର୍ଷ ବର୍ଷ ଧରି ଆଇନଗତ ବିବାଦରେ ଫସାଇଥିଲେ। କୋର୍ଟ ଏହାକୁ ଭାରତୀୟ ଦଣ୍ଡବିଧାନର ମୌଳିକ ସିଦ୍ଧାନ୍ତ “୧୦୦ ଦୋଷୀ ଛାଡ଼ି ଦିଅ, କିନ୍ତୁ ଜଣେ ନିରୀହକୁ ଦଣ୍ଡ ନ ମିଳୁ”ର ସିଧାସଳଖ ଉଲ୍ଲଂଘନ ବୋଲି ବର୍ଣ୍ଣନା କରିଛନ୍ତି। କୋର୍ଟ ଆହୁରି କହିଛନ୍ତି ଯେ ଲାଖନ ଓକିଲ ହୋଇ ମଧ୍ୟ ନ୍ୟାୟ ବ୍ୟବସ୍ଥାର ଅପବ୍ୟବହାର କରିଛନ୍ତି ଏବଂ ନିଜେ ଦୁଇ ଫେକ କାଗଜ ନେଇ କାଲ୍ପନିକ କାହାଣୀ ଗଢ଼ି ମାମଲା ରୁଜୁ କରୁଥିଲେ।
ଅଦାଲତ ଲାଖନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ (ଆଇପିସି)ର ଧାରା ୧୮୨ ଅନ୍ତର୍ଗତ ୬ ମାସର ସାଧାରଣ କାରାଦଣ୍ଡ ଏବଂ ୧୦୦୦ ଟ’ ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ଏହାସହ ଅନ୍ୟ ଅଭିଯୋଗରେ ମଧ୍ୟ ସଜା ଓ ଜୋରିମାନା ଆଦାୟ କରାଯାଇଛି।