fbpx

SCBରେ ହେବ ଫୁସଫୁସ୍ ଅସ୍ତ୍ରୋପଚାର, ପୂର୍ବ ଭାରତରେ ପ୍ରଥମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଫଳତାର ଗୋଟିଏ ପରେ ଗୋଟିଏ ସିଡ଼ି ଚଢ଼ି ଆଗକୁ ବଢ଼ିବାରେ ଲାଗିଛି କଟକ ବଡ଼ ଡାକ୍ତରଖାନା । ପୂର୍ବ ଭାରତର ପ୍ରଥମ ଡାକ୍ତରଖାନା ଭାବେ ଏସସିବିରେ ଯକ୍ଷ୍ମା ଓ ଛାତି ରୋଗ ବିଭାଗରେ ଖୁବଶୀଘ୍ର ଫୁସଫୁସ୍ ଅସ୍ତ୍ରୋପଚାର ଆରମ୍ଭ ହେବ । ଏନେଇ କେନ୍ଦ୍ର ସରକାର ସବୁଜ ସଙ୍କେତ ପ୍ରଦାନ କରିବା ସହ ୫.୪ କୋଟିର ଅନୁଦାନ ଘୋଷଣା କରିଛନ୍ତି ।

ଜଣାପଡ଼ିଛି ଯେ, କେନ୍ଦ୍ର ସରକାର ଏସସିବିର ଯକ୍ଷ୍ମା ଓ ଛାତି ରୋଗ ବିଭାଗକୁ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ଘୋଷଣା କରିଛନ୍ତି । ସେଣ୍ଟର ଅଫ୍ ଏକ୍ସଲେନ୍ସ ଘୋଷଣା ହେବା ପରେ ସେଠାରେ ଫୁସଫୁସ୍ ଅସ୍ତ୍ରୋପଚାର ପାଇଁ ରାଜ୍ୟ ସରକାର କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗଠାରୁ ଅନୁମତି ମାଗିଥିଲେ । ଆବଶ୍ୟକ କାଗଜପତ୍ର ଯାଞ୍ଚ, ଭିତ୍ତିଭୂମି, ଡାକ୍ତର, ପାରାମେଡିକାଲ କର୍ମଚାରୀ ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପରେ ସ୍ୱାସ୍ଥ୍ୟ ବିଭାଗ ଅନୁମତି ପ୍ରଦାନ କରିଥିଲା ।

ସାଧାରଣ ଭାବେ ଧୂମପାନ କରୁଥିବା ବ୍ୟକ୍ତିଙ୍କଠାରେ ଫୁସଫୁସ୍ ସଂକ୍ରମଣ ବେଶି ଦେଖାଦେଇଥାଏ । ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଲୋକ ମେଡିସିନ ସେବନ କରି ସୁସ୍ଥ ହୋଇଥାନ୍ତି । ଅବଶିଷ୍ଟ ୨୦ ପ୍ରତିଶତ ରୋଗୀଙ୍କର ଫୁସଫୁସ୍ ଅଶୀ ପ୍ରତିଶତ ନଷ୍ଟ ହୋଇଯାଇଥିବାରୁ ସେମାନେ ଔଷଧ ଦ୍ୱାରା ଆରୋଗ୍ୟ ଲାଭ କରିପାରି ନଥାନ୍ତି । ଓଡ଼ିଶା ସମେତ ପୂର୍ବ ଭାରତରେ ଏହି ଅସ୍ତ୍ରୋପଚାର ପାଇଁ କୌଣସି ସରକାରୀ ଡାକ୍ତରଖାନାରେ ସୁବିଧା ନାହିଁ । ଏନେଇ ରାଜ୍ୟ ସରକାର ଚଳିତବର୍ଷଠାରୁ ଯକ୍ଷ୍ମା ଓ ଛାତି ରୋଗ ବିଭାଗରେ ନୂତନ ଥେରାପି ପାଠ୍ୟକ୍ରମର ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.