fbpx

ମହାରାଷ୍ଟ୍ର ବିଧାନସଭା ବାଚସ୍ପତି କହିଲେ ଅଜିତ ପାୱାରଙ୍କ ଗୋଷ୍ଠୀ ହିଁ ପ୍ରକୃତ ଏନସିପି

ମୁମ୍ୱାଇ: ନିର୍ବାଚନ କମିଶନଙ୍କ ପରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଶରଦ ପାୱାର ଗୋଷ୍ଠୀକୁ ମଧ୍ୟ ବିଧାନସଭାବାଚସ୍ପତିଙ୍କ ଠାରୁ ଝଟକା ଲାଗିଛି। ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଗୁରୁବାର ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଗୋଷ୍ଠୀକୁ “ପ୍ରକୃତ ଏନସିପି” ବୋଲି କହିଛନ୍ତି। ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର କହିଛନ୍ତି ଯେ ଅଜିତ ପାୱାରଙ୍କ ଗୋଷ୍ଠୀ ହିଁ ପ୍ରକୃତ ‘ଏନସିପି’ ରାଜନୈତିକ ଦଳ। ବିଧାନସଭାରେ ସଂଖ୍ୟାଗରିଷ୍ଠତା ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ସିନ୍ଦେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ କହିଛନ୍ତି, ବାଚସ୍ପତିଙ୍କ ନିଷ୍ପତ୍ତି ସଂଖ୍ୟାଗରିଷ୍ଠତା ଏବଂ ଯୋଗ୍ୟତା ଆଧାରରେ ଦିଆଯାଇଛି। ମୁଁ ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛି। ଏହି ନିଷ୍ପତ୍ତିକୁ ଶିବସେନା (ୟୁବିଟି) ସମାଲୋଚନା କରି କହିଛି ଯେ ସମଗ୍ର ଦେଶର ଲୋକ ମାନେ ଦେଖୁଛନ୍ତି।

ଶିବସେନା ମୁଖପାତ୍ର ଆନନ୍ଦ ଦୁବେ କହିଛନ୍ତି ଯେ ପୂର୍ବରୁ ନିର୍ବାଚନ ଆୟୋଗ ଅଜିତ ପାୱାରଙ୍କ ଗୋଷ୍ଠୀକୁ ପ୍ରକୃତ ଏନସିପି ବୋଲି କହିଥିଲେ। ଏବେ ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ମଧ୍ୟ ଏଥିରେ ରାଜି ହୋଇଛନ୍ତି। ଅର୍ଥାତ୍ ଯେଉଁ ବିଧାୟକମାନେ ଦଳ ଛାଡ଼ି ଅଜିତ ପାୱାରଙ୍କ ସହ ଯାଇଥିଲେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବ ନାହିଁ। ଏହା ଅତ୍ୟନ୍ତ ହାସ୍ୟାସ୍ପଦ। ପୂର୍ବରୁ ଶିବସେନା କ୍ଷେତ୍ରରେ ମଧ୍ୟ ସମାନ ନିଷ୍ପତ୍ତି ନିଆଯାଇଥିଲା। ପ୍ରକୃତ ଶିବସେନା ଦଳ ଏକନାଥ ସିନ୍ଦେ ଏବଂ ତାଙ୍କ ସମର୍ଥକଙ୍କର ଅଟେ।

“ଯେଉଁଭଳି ଭାବେ କ୍ଷମତାର ଦୁରୁପଯୋଗ କରୁଛନ୍ତି, ତାହା ଉପରେ ଦେଶ ଓ ରାଜ୍ୟ ନଜର ରଖିଛନ୍ତି। ଆମ ଶିବସେନା ପାର୍ଟି ସୁପ୍ରିମ୍ କୋର୍ଟକୁ ଯାଇସାରିଛି ଏବଂ ଶରଦ ପାଓ୍ଵାର ଏହି ମାମଲାରେ ଯିବେ। ଏତିକି ମନେ ରଖନ୍ତୁ, ଯେପର୍ଯ୍ୟନ୍ତ ସୁପ୍ରିମ୍ କୋର୍ଟ ଅଛି, ସେପର୍ଯ୍ୟନ୍ତ କାହା ପ୍ରତି ଅନ୍ୟାୟ ହେବ ନାହିଁ।” କିଛି ମାସ ତଳେ ଅଜିତ ପାୱାର ମହାବିକାଶ ଆଘାଡି ମେଣ୍ଟ ସରକାରରୁ ଅଲଗା ହୋଇ ଏନଡିଏରେ ଯୋଗ ଦେଇଥିଲେ।

ଏହାପରେ ସେ ଏନସିପି ଉପରେ ଦାବି କରିଥିଲେ। ଶରଦ ପାୱାରଙ୍କ ଗୋଷ୍ଠୀ ଏବଂ ଅଜିତ ପାୱାରଙ୍କ ଗୋଷ୍ଠୀ ମଧ୍ୟରେ ଦଳରେ ବିଭାଜନ ହୋଇଥିଲା। ଏହି ବିବାଦ ନିର୍ବାଚନ କମିଶନ ଓ ବିଧାନସଭା ବାଚସ୍ପତିଙ୍କ ପାଖରେ ପହଞ୍ଚିଥିଲା। ନିକଟରେ ନିର୍ବାଚନ ଆୟୋଗ ଏନସିପି ଅଜିତ ପାୱାରଙ୍କ ବୋଲି ରାୟ ଦେଇ ତାଙ୍କୁ ଦଳର ସଭାପତି ଘୋଷଣା କରିଥିଲେ। ଏହାପରେ ଆଜି ବିଧାନସଭା ବାଚସ୍ପତି ମଧ୍ୟ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।

 

Get real time updates directly on you device, subscribe now.