ଫୁଟବଲ୍ ଭିକ୍ଟ୍ରି ପରେଡ ବେଳେ ମାଡ଼ିଗଲା କାର୍, 27 ଜଣ ଗୁରୁତର

ଫୁଟବଲ ବିଜୟ ଉତ୍ସବ ପାଳିବା ବେଳେ ଲୋକଙ୍କ ଉପରକୁ ଚଢିଗଲା ଦୃତଗାମୀ କାର୍ । 27 ଜଣ ଗୁରୁତର ଥିବାବେଳେ 2 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣା ପଡ଼ିଛି ।

ଲଣ୍ଡନ: ବ୍ରିଟେନରେ ବଡ଼ ଦୁର୍ଘଟଣା । ଫୁଟବଲ ବିଜୟ ଉତ୍ସବ ପାଳିବା ବେଳେ ଲୋକଙ୍କ ଉପରକୁ ଚଢିଗଲା ଦୃତଗାମୀ କାର୍ । ଏହି ଦୁର୍ଘଟଣାରେ ଚାରି ଜଣ ପିଲାଙ୍କ ସମେତ 27 ଜଣ ଗୁରୁତର ଥିବାବେଳେ ଅନେକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣା ପଡ଼ିଛି । ତେବେ ଏଥିରେ 47ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ଜଣା ପଡ଼ିଛି ।

ସୂଚନାମୁତାବକ, ସୋମବାର ଦିନ ବ୍ରିଟିଶ ସହର ଲିଭରପୁଲରେ ପ୍ରିମିୟର ଲିଗ୍ ଟ୍ରଫି ପରେଡ୍ ସମୟରେ ଏକ ଦୃତଗାମୀ କାର ଭିଡ଼ ଭିତରକୁ ମାଡ଼ି ଆସିଥିଲା । ଯଦ୍ବାରା ଘଟଣାସ୍ଥଳରେ ସମସ୍ତେ ଚିତ୍କାର କରି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । ଫଳରେ ସେଠାରେ ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ତେବେ ଆହତଙ୍କ ଭିତରେ 4 ଶିଶୁ ଥିବା ବେଳେ ଜଣେ ଶିଶୁ ଏବଂ ଜଣେ ପୁରୁଷଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏମାନଙ୍କ ମଧ୍ୟରୁ 27 ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଘଟଣାସ୍ଥଳରେ 20 ଜଣଙ୍କୁ ଚିକିତ୍ସା କରାଯାଇଥିଲା।

ଏହି ଘଟଣା ପରେ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ କହିଛି ଯେ ଗିରଫ ବ୍ୟକ୍ତି ଜଣକ ଜଣେ 53 ବର୍ଷୀୟ ବ୍ରିଟିଶ ନାଗରିକ, ଯିଏ ଲିଭରପୁଲ ଅଞ୍ଚଳର ବାସିନ୍ଦା। ଏନେଇ କାର ଚାଳକକୁ ଗିରଫ କରି ତଦନ୍ତ ଜାରି ରହିଛି ଲିଭରପୁଲ ପୋଲିସ ।

ଏପଟେ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ । ସେ କହିଛନ୍ତି ଯେ, ‘ଲିଭରପୁଲର ଏହି ଘଟଣା ହୃଦୟ ବିଦାରକ।’ ସମସ୍ତ ପୀଡିତ ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ପୋଲିସ ଏବଂ ସ୍ବେଚ୍ଛାସେବୀ ଦଳଗୁଡ଼ିକର ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ।