ନୂଆଦିଲ୍ଲୀ : ଦେଶର ବ୍ୟାଙ୍କଗୁଡିକୁ ଲୁଟି ଫେରାର ହୋଇଥିବା ବିଜୟ ମାଲ୍ୟା ଓ ନିରବ ମୋଦୀଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଜାରି ରହିଛି। ଅନ୍ୟପଟେ ସେମାନଙ୍କର ଭାରତରେ ଥିବା ଧନ ସଂପତ୍ତି ବିକ୍ରି କରାଯାଇ ଆର୍ଥିକ କ୍ଷତିର ଭରଣା ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର କହିଛନ୍ତି ଯେ, ଦେଶର ସବୁଠୁ ବଡ ଋଣଦାତା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ନେତୃତ୍ଵରେ ଏକ ସଂଗଠନ ପଳାତକ ବିଜୟ ମାଲ୍ୟା, ନିରବ ମୋଦୀ ଓ ମେହୁଲ ଚୋକସିଙ୍କ ସେୟାର ବିକି ସେଥିରୁ ୭୯୧.୧୧ କୋଟି ଟଙ୍କା ଆଦାୟ କରିଛନ୍ତି। କେନ୍ଦ୍ରୀୟ ଏଜେନ୍ସି ପ୍ରିଭେନସନ ଅଫ ମନି ଲଣ୍ଡ୍ରିଂ ଆକ୍ଟ(ପିଏମଏଲଏ) ଆଧାରରେ ଏହି ସବୁ ସଂପତ୍ତି ଜବତ କରାଯାଇଛି। ଇଡି ଏହି ଅର୍ଥକୁ ବ୍ୟାଙ୍କକୁ ହସ୍ତାନ୍ତର କରିଛି।
ଆନୁଷ୍ଠାନିକ ବିଜ୍ଞପ୍ତି ଅନୁଯାୟୀ, ମାଲ୍ୟା, ମୋଦୀ ଓ ଚୋକସିର ସଂପତ୍ତି ବିକ୍ରି କରି ଏ ପର୍ଯ୍ୟନ୍ତ ମୋଟ୍ ୧୩,୧୦୯.୧୭ କୋଟି ଟଙ୍କା ଆଦାୟ ହୋଇ ସାରିଛି। ବନ୍ଦ ପଡିଥିବା କିଙ୍ଗଫିଶର ଏୟାରଲାଇନ୍ସର ମାଲିକ ମାଲ୍ୟାଙ୍କ ଉପରେ ବିଭିନ୍ନ ବ୍ୟାଙ୍କରେ ୯୦୦୦ କୋଟି ଟଙ୍କାରୁ ଅଧିକ ବକେୟା ରହିଛି। ଏହା ବ୍ୟତୀତ ନିରବ ମୋଦୀ ଓ ମେହୁଲ ଚୋକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଅର୍ଥ ହେରଫେର ଓ ଜାଲିଆତିର ମୁଖ୍ୟ ଅଭିଯୁକ୍ତ। ଉଭୟ ପିଏନବିକୁ ୧୩ ହଜାର କୋଟି ଟଙ୍କାରୁ ଅଧିକ ଚୁନା ଲଗାଇଥିବାର ଅଭିଯୋଗ ହୋଇଛି।
ପିଏନବି ମାମଲାରେ ପଳାତକ ନିରବ ମୋଦୀ ମାମଲାରେ ଆର୍ଥିକ ଅପରାଧ ନ୍ୟାୟାଳୟ ଦ୍ଵାରା ବ୍ୟାଙ୍କକୁ ୧୦୬୦ କୋଟି ଟଙ୍କାର ସଂପତ୍ତି ଜବତ କରିବାକୁ ନିକଟରେ ଅନୁମତି ମିଳିଥିଲା। କିଛି ଦିନ ପୂର୍ବେ ଇଡି ୩,୭୨୮.୬୪ କୋଟି ଟଙ୍କାର ସଂପତ୍ତି ଏସବିଆଇ ନେତୃତ୍ଵାଧୀନ କନ୍ସୋର୍ଟିୟମ ସଂସ୍ଥାକୁ ହସ୍ତାନର କରିଛି। ଏଥିରେ ୩,୬୪୪.୭୪ କୋଟି ଟଙ୍କାର ସେୟାର, ୫୪.୩୩ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ ଓ ୨୯.୫୭ କୋଟି ଟଙ୍କାର ଅଚଳ ସଂପତ୍ତି ସାମିଲ୍।