fbpx

ପଶ୍ଚିମବଙ୍ଗ ହିଂସାକାଣ୍ଡ: ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ମିଳିବ ୨ଲକ୍ଷ ଟଙ୍କା

କୋଲକାତା, ୦୬/୦୫ (ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗ ନିର୍ବାଚନ ପରେ ସେଠାରେ ହିଂସାକାଣ୍ଡ ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଏହି ବଡ ଧରଣର ହିଂସାକାଣ୍ଡର ଶିକାର ହେଉଛନ୍ତି । ଏହା ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୃତ ଲୋକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅର୍ଥ ରାଶି ଦେବାକୁ ଘୋଷଣା କରିଛନ୍ତି । ମମତା ଏହି ଘୋଷଣା କରି କହିଛନ୍ତି ଯେ, ଏଯାବତ୍ ଏହି ହିଂସାକାଣ୍ଡରେ ୧୬ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏମାନଙ୍କ ମଧ୍ୟରୁ ଅଧା ଟିଏମସିରୁ ହୋଇଥିବା ବେଳେ ଆଉ ଅଧା ବିଜେପିର ବୋଲି ଜଣାପଡିଛି ।

ଏ ସମ୍ପର୍କରେ ମମତା ବିଜେପିକୁ ଟାର୍ଗେଟ କରି କହିଥିଲେ ଯେ, ଏଠାରେ ବିଜେପିର କାର୍ଯ୍ୟକର୍ତ୍ତା ବୁଲୁଛନ୍ତି ଏବଂ ଲୋକଙ୍କୁ ଉସକାଉଛନ୍ତି । ନୁଆ ସରକାର ଗଠନ ହେବାର ୨୪ ଘଣ୍ଟା ବି ନ ପୁରୁଣୁ ଦଳର ନେତା ମାନେ ଏଠାକୁ ଆସୁଛନ୍ତି ଏବଂ ଏଠାରେ ଦଙ୍ଗା କରୁଛନ୍ତି । ବାସ୍ତବରେ ସେମାନେ ଜନତାଙ୍କୁ ନିଷ୍ପତିକୁ ସ୍ୱୀକାର କରି ପାରୁ ନାହାନ୍ତି । ତେଣୁ ସେମାନଙ୍କୁ ଅପିଲ୍ କରୁଛି ଯେ, ଜନାଦେଶକୁ ସ୍ୱୀକାର କରନ୍ତୁ ।

ସୁଚନାଯୋଗ୍ୟ, ମେ ୨ ରେ ଭୋଟ ଗଣତି ସରିବା ପରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଦଙ୍ଗା, ଗଣ୍ଡଗୋଳ, ମାରପିଟ୍ ଆଦି ଦେଖିବାକୁ ମିଳିଥିଲା । ଏଥିରେ ଅନେକ ଲୋକ ଆହାତ ହୋଇଥିଲେ ଏବଂ ଅନେକ ପ୍ରାଣ ହରାଇଥିଲେ । ଯାହା ଏପର୍ଯ୍ୟନ୍ତ ଜାରି ରହିଛି ।

Get real time updates directly on you device, subscribe now.