fbpx

ସୁପ୍ରିମକୋର୍ଟଙ୍କ ଆଦେଶରେ ନରମିଲେ ମମତା, କହିଲେ- ରାଜ୍ୟରେ ଲାଗୁ କରିବୁ ‘ଓ୍ଵାନ ନେସନ, ଓ୍ଵାନ ରାସନ କାର୍ଡ’ ଯୋଜନା

କୋଲକାତା : ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟରେ ଶେଷରେ ମୁଣ୍ଡ ନୁଆଁଇଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ସୋମବାର କହିଛନ୍ତି, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ‘ଓ୍ଵାନ ନେସନ, ଓ୍ଵାନ ରାସନ କାର୍ଡ’ ଯୋଜନା ଲାଗୁ କରିବାରେ କୌଣସି ସମସ୍ୟା ନାହିଁ ଏବଂ ଏ ନେଇ ପ୍ରକ୍ରିୟା ଜାରି ରହିଛି।
ମମତା ବାନାର୍ଜୀ ସୋମବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ଓ୍ଵାନ ନେସନ, ଓ୍ଵାନ ରାସନ’ ଯୋଜନା ଲାଗୁ କରିବାରେ ଆମର କୌଣସି ସମସ୍ୟା ନାହିଁ। ଏହାର ପ୍ରକ୍ରିୟା ଜାରି ରହିଛି। ଏହି ଯୋଜନା ଆଧାରରେ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ଉଚିତ୍ ମୂଲ୍ୟରେ ରାସନ ମିଳିପାରିବ। ଏଥିପାଇଁ ସେମାନଙ୍କୁ ନୂତନ ରାସନ କାର୍ଡର ଆବଶ୍ୟକତା ନାହିଁ।
ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ଦାଖଲ ଆବେଦନ ଉପରେ ଶୁଣାଣି ସମୟରେ ଶୁକ୍ରବାର ପଶ୍ଚିମବଙ୍ଗ ସରକାରଙ୍କୁ ତୁରନ୍ତ ଉକ୍ତ ଯୋଜନା ଲାଗୁ କରିବାକୁ ଆଦେଶ ଦେଇଥିଲେ। ଯାହା ଫଳରେ ହିତାଧିକାରୀଙ୍କ ସହ ପ୍ରବାସୀ ଶ୍ରମିକଙ୍କୁ ଶୀଘ୍ର ସବସିଡିରେ ରାସନ ମିଳିପାରିବ। ସୁପ୍ରିମକୋର୍ଟ ରାଜ୍ୟର ମମତା ବାନାର୍ଜୀ ସରକାରଙ୍କୁ ଆଦେଶ ଦେଇ କହିଥିଲେ, ଏବେ ଆଉ କୌଣସି ବାହାନା ଚାଲିବ ନାହିଁ। ତୁରନ୍ତ ‘ଓ୍ଵାନ ନେସନ, ଓ୍ଵାନ ରାସନ’ ଯୋଜନା ଲାଗୁ କରନ୍ତୁ।
ଉଲ୍ଲେଖନୀୟ ଏହା ପୂର୍ବରୁ ପଶ୍ଚିମବଙ୍ଗ ସରକାର ‘ଓ୍ଵାନ ନେସନ, ଓ୍ଵାନ ରାସନ’ ଯୋଜନାରୁ ରାଜ୍ୟକୁ ବାହାରେ ରଖିଥିଲେ। ଏହାକୁ ନେଇ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମୁହାଁମୁହିଁ ହୋଇଥିଲେ। ଏପରିକି ବିଜେପି ଏବଂ ଟିଏମସି ମଧ୍ୟରେ ରାଜନୀତି ତେଜି ଉଠିଥିଲା। ପରେ ସୁପ୍ରିମକୋର୍ଟ ମମତା ସରକାରଙ୍କୁ ତୁରନ୍ତ ଏହି ଯୋଜନା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Get real time updates directly on you device, subscribe now.