fbpx

ଶେଷଥର ପାଇଁ ଗୋବିନ୍ଦଙ୍କ ଗାଡ଼ିରେ ଯାଇଥିଲେ ମମିତା, ମାଆଙ୍କୁ ଫୋନ୍ କରି କହିଥିଲେ….

ବଲାଙ୍ଗିର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ପୋଲିସର ଛାନଭିନ୍ ଜାରି ରହିଥିବା ବେଳେ ରାଜନୀତି ଜୋର ଧରିଛି । ଏହା ମଧ୍ୟରେ ମାମଲାକୁ ନେଇ ସାମ୍ନାକୁ ଆସିଛି ବଡ଼ ତଥ୍ୟ । ନିଖୋଜ ପୂର୍ବରୁ ଶେଷଥର ପାଇଁ ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କ ଗାଡ଼ିରେ ମମିତା ଯାଇଥିଲେ । ସ୍କୁଲ ଯିବା ବେଳେ ଅଧା ରାସ୍ତାରୁ ମମିତାଙ୍କୁ ଗାଡ଼ିକୁ ଡାକିଥିଲେ ଗୋବିନ୍ଦ । ଏନେଇ ନିଜ ମାଆଙ୍କୁ ଫୋନ ଯୋଗେ ମମିତା କହିଥିଲେ । ଏହା ପରେ ହଷ୍ଟେଲରେ ପହଞ୍ଚିଥିବା କଥା ୯ଟା ୫୦ରେ ମାଆଙ୍କୁ କହିଥିଲେ । କିନ୍ତୁ ଗୋବିନ୍ଦ ସାହୁଙ୍କ ଗାଡ଼ିରେ ଯିବା ପରେ ମମିତାଙ୍କ ଖବର ମିଳିନଥିଲା । ଗୋବିନ୍ଦଙ୍କ ଗାଡ଼ିରେ ମମିତା ଯାଇଥିବା ନେଇ ସିସିଟିଭିରେ ଚିତ୍ର କଏଦ ହୋଇଛି ।

ଏହା ବ୍ୟତୀତ ଖବର ମିଳିଛି ଯେ, ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେର ପୂର୍ବରୁ ଚାକିରି ଛାଡ଼ିବାକୁ ଚାହିଁଥିଲେ । ଏନେଇ ତାଙ୍କ ମା’ଙ୍କୁ କହିଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ଲକଡାଉନ୍ ପରେ ଆଉ ଚାକିରି କରିବି ନାହିଁ ବୋଲି ମମିତା କହିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ୮ ତାରିଖ ଶିକ୍ଷୟିତ୍ରୀ ସ୍କୁଲ ଯିବା ବେଳେ ଚନ୍ଦତରା ଛକ ନିକଟରୁ ନିଖୋଜ ହୋଇଥିଲେ । ୧୨ ତାରିଖରେ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ମହାଲିଙ୍ଗ ସ୍ଥିତ ଷ୍ଟାଡିୟମରୁ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଏହି ମୃତଦେହ ମମିତାଙ୍କର ନା ଆଉ କାହାର, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ଏହି ମାମଲାରେ ବଲାଙ୍ଗିର ପୋଲିସ କଳାହାଣ୍ଡିର ଆସି ସେଠାକାର ପୋଲିସ ସହିତ କଥାବାର୍ତ୍ତା ହେବା ପରେ ସ୍କୁଲ ମାଲିକ ଗୋବିନ୍ଦ ସାହୁକୁ ଉଠାଇ ନେଇଥିଲା । ମହାଲିଙ୍ଗରେ ଛାନଭିନ୍ ପରେ ତାଙ୍କ ଗାଡ଼ି ମଧ୍ୟ ଜବତ ହୋଇଥିଲା । । ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ଗୋବିନ୍ଦଙ୍କୁ ଅଟକ ରଖିଥିଲା ପୋଲିସ । କିନ୍ତୁ ଟିଟିଲାଗଡ଼ ଥାନା ପୋଲିସ ବ୍ୟାରେକରୁ ସେ ଚମ୍ପଟ ମାରିଥିଲେ । ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମାମଲାରେ ଗୋବିନ୍ଦ ସାହୁଙ୍କୁ ଧରାଇବା ଲାଗି ପୁରସ୍କାର ରାଶିକୁ ବଢ଼ାଇ ଦିଆଯାଇଛି । ଘୋଷିତ ହୋଇଥିବା ପୁରସ୍କାର ରାଶି ୨୦ ହଜାରରୁ ଲକ୍ଷେକୁ ବଢ଼ିଛି । ବର୍ଦ୍ଧିତ ପୁରସ୍କାର ରାଶି ଘୋଷଣା କରିଛି ବଲାଙ୍ଗିର ଜିଲ୍ଲା ପୋଲିସ ।

Get real time updates directly on you device, subscribe now.