fbpx

ଅଜବ ଘଟଣା: ବାଡ଼ିରେ ପଶି ଫସଲ ଖାଇବାରୁ ଛେଳିକୁ ହତ୍ୟା, ଥାନାରେ ଦାୟର ହେଲା ହତ୍ୟା ମାମଲା

ନୂଆଦିଲ୍ଲୀ: ଆମ ସମାଜରେ ବିଭିନ୍ନ ପ୍ରକାରର ଅପରାଧିକ ମାମଲା ଦେଖିବାକୁ ମିଳିଥାଏ । ଅନେକ ସମୟରେ କୌଣସି କାରଣରୁ କିଛି ବ୍ୟକ୍ତି ଅନ୍ୟର ଜୀବନ ନେବାକୁ ପଛାନ୍ତି ନାହିଁ । ତେବେ ଏକ ସାଧାରଣ କଥାକୁ ନେଇ କେବେ କୌଣସି ଗୃହପାଳିତ ଜୀବକୁ ହତ୍ୟା କରିବା ଖବର ଆପଣମାନେ ଶୁଣିଛନ୍ତି କି । ବାଡ଼ିରେ ପଶି ଫସଲ ଖାଇବା କାରଣରୁ ଗୋଟିଏ ନିରୀହ ଛେଳିକୁ ହତ୍ୟା କରିଛନ୍ତି ଜଣେ ବ୍ୟକ୍ତି ।

ଖବର ମୁତାବକ, ଛତିଶଗଡ଼ର ବିଳାସପୁର ଜିଲ୍ଲାରୁ ଆସିଛି ଏଭଳି ଏକ ଅଜବ ମାମଲା । ଛେଳିର ମାଲିକ ଥାନାକୁ ଯାଇ ହତ୍ୟା ମାମଲା ଦାୟର କରିବା ପରେ ସମସ୍ତେ ତାଜୁବ ହୋଇଯାଇଥିଲେ । ଯାଞ୍ଚ ପରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାୟର କରାଯିବା ସହିତ ଗିରଫ କରାଯାଇଛି । ବଛାଲି ଖୁର୍ଦ ଅଞ୍ଚଳରେ ରହୁଥିବା ଉମାଶଙ୍କର ରାଜପୂତ ଓ ତାଙ୍କର ଡ୍ରାଇଭର ଛେଳିର ବେକ କାଟି ହତ୍ୟା କରିଥିଲେ । ଏହାପରେ ସେମାନେ ଶବକୁ ଫିଙ୍ଗି ଦେଇଥିଲେ ।

ତେବେ ଏହି ହତ୍ୟାର କାରଣ ବିଷୟରେ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରିଥିଲା । ଛେଳିଟି ଅଧିକାଂଶ ସମୟରେ ବାଡ଼ିରେ ପଶିବା ସହିତ ଫସଲ ଖାଇ ଦେଉଥିଲା । ଏନେଇ ବାରମ୍ବାର ଛେଳି ମାଲିକଙ୍କୁ କହିଥିଲେ ହେଁ ସେ କର୍ଣ୍ଣପାତ କରିନଥିଲେ । ସେ ସୁଯୋଗ ଦେଖି ଛେଳିକୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ କରିଥିବା ଅଭିଯୁକ୍ତ କହିଥିଲେ । ଛେଳିର ହତ୍ୟା ପରେ ପୀଡ଼ିତ ପକ୍ଷ ଶବକୁ ଧରି ହଙ୍ଗାମା କରିବା ସହିତ ହତ୍ୟା ମାମଲା ଦାୟର ପାଇଁ ଦାବି କରିଥିଲେ ।

ତେବେ ରତନପୁର ଥାନାରେ ଏହା ପ୍ରଥମ ମାମଲା ନୁହେଁ । ଏହା ପୂର୍ବରୁ ଗତ ଫେବୃଆରୀ ମାସରେ ମଧ୍ୟ ଏକ କୁକୁଡ଼ା ଚୋରି ମାମଲା ଆସିଥିଲା । ସିଲଦାହା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର କୁକୁଡ଼ା ଉପରେ ତାଙ୍କର ପଡ଼ୋଶୀ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲା ଥାନାରେ ପହଞ୍ଚିଥିଲା ଓ ପୀଡ଼ିତ ବ୍ୟକ୍ତି ହଙ୍ଗାମା କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଥିଲା ।

Get real time updates directly on you device, subscribe now.