ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଛନ୍ତି ଚାରି ଅଭିଯୁକ୍ତ । ଗିରଫ ପରେ କ୍ରାଇମବ୍ରାଞ୍ଚ ଚାରି ଅଭିଯୁକ୍ତଙ୍କଠାରୁ ପାଇଛି ଅନେକ ଉତ୍ତର । ତଦନ୍ତରେ ଦିନକୁ ଦିନ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ହତ୍ୟାକାଣ୍ଡ ଘଟଣାକୁ ନେଇ ଆସିଛି ଆଉ ଏକ ନୂଆ ତଥ୍ୟ । ନୂଆ ତଥ୍ୟ ନେଇ କ୍ରାଇମବ୍ରାଞ୍ଚ ତରଫରୁ ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ମାନସ ସ୍ୱାଇଁ ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ । ମାନସଙ୍କୁ ଶର୍ମିଷ୍ଠା ଓ ନିରଞ୍ଜନ ଆଗରୁ ମଧ୍ୟ ଥରେ ମାଡ଼ ମାରିଥିଲେ ଯାହାପରେ ଜାନୁଆରୀ ୧୦ ପରଠାରୁ ମାନସ ଦୟାଲ ଆଶ୍ରମରେ ରହୁଥିଲେ । ଜାନୁଆରୀ ୩୦ ରେ ଶର୍ମିଷ୍ଠା, ନିରଞ୍ଜନ ମାନସଙ୍କୁ ‘ସଂପୂର୍ଣ୍ଣ’ ଅଫିସକୁ ଡାକିଥିଲେ । ସେଠାରେ ଚିପ୍ ମାଗିବା ସହ ଉଭୟ ମାନସଙ୍କୁ ମାଡ଼ ମାରିଥିଲେ । ସଂପୂର୍ଣ୍ଣ ଅଫିସରେ ମାଡ଼ ମାରି ସେଠାରୁ ମାନସଙ୍କୁ ଦୟାଲ ଆଶ୍ରମ ନେଇଥିଲେ । ଦୟାଲ ଆଶ୍ରମରେ ମାନସ ଠାରୁ ତାଙ୍କ କ୍ୟାମେରା ଛଡ଼ାଇ ଆଣିଥିଲେ । ଘଟଣା ପରଦିନ ମାନସ ଦୟାଲ ଆଶ୍ରମ ଛାଡ଼ି ଅଲଗା ରହିଥିଲେ ଏବଂ ଶର୍ମିଷ୍ଠାଙ୍କ ଠାରୁ ଚିପ୍ ଫେରାଇବା ପାଇଁ ୧୦ ହଜାର ଟଙ୍କା, କ୍ୟାମେରା ଦାବି କରିଥିଲେ । ପରେ ୫ରେ ମାନସ ଚାନ୍ଦବାଲି ଯାଇଥିବାବେଳେ ଅପହୃତ ହୋଇଥିଲେ ।
ଉଲ୍ଲେଖଯୋଗ୍ୟ, ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ଖୋଳତାଡ଼ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଏହି ଜଘନ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ସହଯୋଗୀ ନିରଞ୍ଜନ ସେଠୀ, ଝୁନା ଭୋଇ ଏବଂ ରାଜ କମ୍ୟୁନିକେଶନର ମାଲିକ ରଞ୍ଜନ ନାୟକଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ବହୁ ତଥ୍ୟ ହାସଲ କରିଥିବାବେଳେ ରିମାଣ୍ଡ ପରେ ରବିବାର ଚାନ୍ଦବାଲି ଜେଏମ୍ଏଫସିଙ୍କ ଅଦାଲତରେ ହାଜର କରିଥିଲା । ହାଜର ସମୟରେ ଏହି ୪ ଅଭିଯୁକ୍ତଙ୍କୁ ପୁଣି ଥରେ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଥିଲା । ତେବେ ଅଦାଲତ କେବଳ ଶର୍ମିଷ୍ଠା ଓ ଝୁନାଙ୍କୁ ୩ ଦିନିଆ ରିମାଣ୍ଡରେ ନେବାପାଇଁ ଅନୁମତି ପ୍ରଦାନ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ନିରଞ୍ଜନ ଓ ରଞ୍ଜନଙ୍କୁ ଭଦ୍ରକ ଜେଲକୁ ପଠାଇ ଦେଇଛନ୍ତି । ରିମାଣ୍ଡ ସମୟରେ ବହୁ କିଛି ତଥ୍ୟ ହାସଲ କରିବାକୁ ବାକି ରହିଥିବାରୁ ଏମାନଙ୍କୁ ପୁଣି ଥରେ ରିମାଣ୍ଡରେ ନିଆଯାଇଛି ।