fbpx
BJD SKY
BJD SKY

ଏହି ସିଜିନରେ ବିକ୍ରି ହେଉଥିବା ଆମ୍ବରେ ରସାୟନ ଭର୍ତ୍ତି, ସ୍ୱାସ୍ଥ୍ୟକୁ ପହଞ୍ଚାଇପାରେ କ୍ଷତି

BJD

ଭୁବନେଶ୍ବର: ସମୟ ପୂର୍ବରୁ ଆମ୍ବ ବିକ୍ରିହେବା ଭଲ ସଙ୍କେତ ନୁହେଁ। ଏହାକୁ ରସାୟନ ଦେଇ ପଚା ଯାଉଥିବା କହିଛନ୍ତି ଓୟୁଏଟି ବୈଜ୍ଞାନିକ ସୁବାସ ସ୍ବାଇଁ। ରାଜଧାନୀ ବଜାରରେ ବିକ୍ରି ହେଲାଣି ଆନ୍ଧ୍ରପ୍ରଦେଶର ଆମ୍ବ୍ରପଲି ଓ ବାଇଗଣ ପଲେଇ ଆମ୍ବ। ଏହି କିସମର ଆମ୍ବ ଦୈନିକ ପ୍ରାୟ ୧୦୦-୧୫୦ ଟନ୍‌ ଭୁବନେଶ୍ବର ବଜାରକୁ ଆସୁଥିବା ସୂଚନା ଦେଇଛନ୍ତି ହୋଲସେଲ ଫଳ ବ୍ୟବସାୟୀ। କିଲୋ ପିଛା ପ୍ରାୟ ୧୧୦ରୁ ୧୫୦ ଟଙ୍କା ମଧ୍ୟରେ ଏହା ବିକ୍ରି ହେଉଛି। ପ୍ରାୟ ୨୦ ଦିନରୁ ଊର୍ଧ୍ବ ସମୟ ହେଲା ଆନ୍ଧ୍ରର ଏହି ଆମ୍ବ ଏଠାରେ ବିକ୍ରି ହେଉଛି।

ସୂଚନା ଅନୁଯାୟୀ, ରାଜ୍ୟରେ ୨ ଲକ୍ଷ ହେକ୍ଟରରେ ଆମ୍ବଚାଷ ହୁଏ। ପ୍ରଫେସର ସ୍ବାଇଁ କହନ୍ତି, ରାଜ୍ୟରେ ଉତ୍ପାଦିତ ସମୁଦାୟ ଆମ୍ବଚାଷ ମଧ୍ୟରୁ କେବଳ ୪୦ରୁ ୫୦% ଆମ୍ରପଲି। ଏହା ମଧ୍ୟମ ଓ ବିଳମ୍ବିତ ପ୍ରକାର ହୋଇଥିବାରୁ ବଜାରକୁ ଆସିବାକୁ ଜୁନ୍‌ମାସ ପର୍ଯ୍ୟନ୍ତ ସମୟ ଲାଗିଯାଏ। ଓଡ଼ିଶାର ନିଜସ୍ବ ସଅଳ କିସମ ସୁନ୍ଦରୀ ଭେରାଇଟି ଆମ୍ବ ମେ’ ଏବଂ ଆରକନ, ନିଳାଞ୍ଚଳ, କେସରୀର ମଜା ନେବାକୁ ମଧ୍ୟ ଏପ୍ରିଲ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼େ। ଅନ୍ୟଦିଗରେ ଆନ୍ଧ୍ରରୁ କିଭଳି ଏତେ ଶୀଘ୍ର ସମାନ କିସମର ଆମ୍ବ ଆସୁଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୁଏ। ବିଶେଷଜ୍ଞଙ୍କ ଅନୁସାରେ, ଆମ୍ବ କିମ୍ବା ଯେକୌଣସି ଫଳ ସମ୍ପୂର୍ଣ୍ଣ ବିକଶିତ ନ ହେବା ପର୍ଯ୍ୟନ୍ତ ଏହାକୁ ତୋଳିବା ଉଚିତ ନୁହେଁ।

ମାତ୍ର କିଛି ଲୋକ ଏହାକୁ ତୋଳି ରସାୟନରେ ବୁଡ଼ାଇ ଜବରଦସ୍ତି ପଚାଇ ଦେଉଛନ୍ତି ଏବଂ ରଙ୍ଗ ମଧ୍ୟ ବିକଶିତ କରାଇ ଦେଉଛନ୍ତି। ତେଣୁ ଉପରକୁ ଆକର୍ଷଣୀୟ ଲାଗୁଥିଲେ ମଧ୍ୟ ସ୍ବାଦ ଠିକ୍ ରହେନାହିଁ। କିନ୍ତୁ ବର୍ତ୍ତମାନ ସମୟରେ ସ୍ଥାନୀୟ ଆମ୍ବ ରହୁନଥିବାରୁ ଗ୍ରାହକ ଲୋଭରେ ଏହାକୁ ଅଧିକ ଦରରେ କ୍ରୟ କରି ନିଅନ୍ତି। ଏଥିରେ ବ୍ୟବସାୟୀମାନଙ୍କର ଲାଭ ହୁଏ ଅବଶ୍ୟ। ଅନ୍ୟପକ୍ଷରେ ଏପ୍ରିଲ, ମେ’ ମାସ ବେଳକୁ ଓଡ଼ିଶା ସମେତ ବିଭିନ୍ନ ବିଭିନ୍ନ ଅଞ୍ଚଳର ଆମ୍ବ ଆସିଯାଉଥିବାରୁ ସେତେବେଳେ ବାହାରର ଏହି ଆମ୍ବକୁ ତୀବ୍ର ପ୍ରତିଯୋଗିତାର ସାମ୍‌ନା କରିବାକୁ ପଡ଼ିଥାଏ। ସେ ପର୍ଯ୍ୟନ୍ତ ଏହା ବଜାରରେ ରାଜ୍‌ କରେ।ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସମୟ ପୂର୍ବରୁ ବଜାରକୁ ଆସୁଥିବା ଏହି ଆମ୍ବର ପରୀକ୍ଷା କରାଯିବା ଉଚିତ ବୋଲି ବୁଦ୍ଧିଜୀବୀ ମତ ଦିଅନ୍ତି।

Get real time updates directly on you device, subscribe now.