fbpx

Video: ବ୍ୟାରିକେଡ୍ ଡେଇଁଲେ ପ୍ରିୟଙ୍କା, ରାହୁଲଙ୍କ ସମେତ ଅନେକ କଂଗ୍ରେସ ନେତା ପୋଲିସ ହେପାଜତରେ

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ମହଙ୍ଗା ମାଡ଼କୁ ବିରୋଧ କରି ଆଜି କଂଗ୍ରେସ ସାରା ଦେଶରେ ଜୋରଦାର ବିରୋଧ ପ୍ରଦର୍ଶନ କରୁଛି। ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ରାଜଧାନୀ ଦିଲ୍ଲୀରେ ପ୍ରଦର୍ଶନ କରୁଛି। ବିରୋଧ ପ୍ରଦର୍ଶନ ସମୟରେ ରାହୁଲ ଗାନ୍ଧୀ ଏବଂ ପ୍ରୟଙ୍କା ଗାନ୍ଧୀଙ୍କ ସମେତ ଦଳର ଅନେକ ବରିଷ୍ଠ ନେତାଙ୍କୁ ପୋଲିସ ଅଟକ ରଖିଛି। କଂଗ୍ରେସ ମୁଖ୍ୟାଳୟରୁ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପ୍ରଦର୍ଶନରେ ବାହାରିଥିଲେ। ସେମାନଙ୍କୁ ଅଟକାଇବା ପାଇଁ ପୋଲିସ ବ୍ୟାରିକେଡ୍ ଲଗାଇଥିଲା, କିନ୍ତୁ ପ୍ରିୟଙ୍କା ଗାନ୍ଧୀ ବ୍ୟାରିକେଡ୍ ଚଢି ଆଗକୁ ଯାଇଥିଲେ। ଏହା ପରେ ପୋଲିସ ତାଙ୍କୁ ଅଟକ ରଖିବାକୁ ଚେଷ୍ଟା କରିବାରୁ ପ୍ରିୟଙ୍କା ଗାନ୍ଧୀ ଧାରଣାରେ ବସିଥିଲେ। ଏହା ପରେ ପୋଲିସ ତାଙ୍କୁ ହେପାଜତରେ ନେଇଥିଲା।

ତେବେ ରାହୁଲ ଗାନ୍ଧୀ ପୋଲିସ ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ରାଷ୍ଟ୍ରପତି ଭବନ ଯାତ୍ରା କରିବା ସମୟରେ ପୋଲିସ ଆମକୁ ଅଟକାଇଥିଲା। ଅନେକ ସାଂସଦଙ୍କୁ ଅଟକ ରଖାଯାଇଛି। ସେମାନଙ୍କୁ ଭୟଙ୍କର ଭାବରେ ଘୋଷାଡ଼ି ଘୋଷାଡ଼ି ପୋଲିସ ନେଇଥିବା ସେ କହିଛନ୍ତି। ସେହିପରି ପୋଲିସ ପ୍ରିୟଙ୍କାଙ୍କୁ ଅଟକ ରଖିବା ପରେ ସେ କହିଛନ୍ତି ଯେ, ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ସେମାନେ(ବିଜେପି) ଭାବୁଛନ୍ତି। ଯେହେତୁ ସେମାନଙ୍କର ମନ୍ତ୍ରୀମାନେ ମୁଦ୍ରାସ୍ଫୀତି ଦେଖିପାରୁ ନାହାଁନ୍ତି, ତେଣୁ ଆମେ ସେମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଘର ଆଡକୁ ଯାଇ ମୁଦ୍ରାସ୍ଫୀତି ଦେଖାଇବାକୁ ଚାହୁଁଛୁ। ତେବେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ସମ୍ପତ୍ତିକୁ ତାଙ୍କ ବନ୍ଧୁମାନଙ୍କୁ ଦେଇଛନ୍ତି ବୋଲି ପ୍ରିୟଙ୍କା ଗାନ୍ଧୀ ଅଭିଯୋଗ ଲଗାଇଛନ୍ତି।

 

Get real time updates directly on you device, subscribe now.