fbpx

Facebookରୁ ଇସ୍ତଫା ଦେବେ ମାର୍କ ଜୁକରବର୍ଗ? କମ୍ପାନୀର କଠିନ ପରିସ୍ଥିତି, ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଟେକ୍ କମ୍ପାନୀଗୁଡ଼ିକର ସମୟ ଖରାପ ଚାଲିଛି । ସମୟ ଏପରି ଥିଲା ଏହି ସେକ୍ଟରେ ଚାକିରିର ବର୍ଷା ହେଉଥିଲା । ମାତ୍ର ଆଜି ସମୟ ବଦଳି ଯାଇଛି । ଟ୍ୱିଟର, ଗୁଗଲ, ଫେସବୁକ, ଆମାଜନ ପରି ଏକାଧିକ ବହୁରାଷ୍ଟ୍ରୀୟ ଟେକ କମ୍ପାନୀ ଖରାପ ସମୟ ଦେଇ ଗତି କରୁଛନ୍ତି । ଏହି କମ୍ପାନୀଗୁଡ଼ିକରେ ଏବେ ଚାଲିଛି ଛଟେଇ ଋତୁ । କେତେବେଳେ କେଉଁ କର୍ମଚାରୀଙ୍କ ଚାକିରି ଚାଲିଯିବ, ସେନେଇ କିଛି କହିହେବ ନାହିଁ ।

ତେବେ ଏହା ମଧ୍ୟରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମେଟା ବା ଫେସବୁକକୁ ନେଇ ଏକ ବଡ଼ ଚର୍ଚ୍ଚା ହେଉଛି । ଫେସବୁକର ସିଇଓ ମାର୍କ ଜୁକରବର୍ଗଙ୍କୁ ନେଇ ଏବେ ଚାରିଆଡ଼େ ଏକ ବଡ଼ ଆଲୋଚନା ହେଉଛି । ଫେସବୁକରୁ ମାର୍କ ଆସନ୍ତା ବର୍ଷ ଇସ୍ତଫା ଦେବେ ବୋଲି ଗତ ୨୨ ତାରିଖରେ ଏକ ରିପୋର୍ଟ ଆସିଥିଲା । ମାତ୍ର ଏହି ଖବରକୁ ମେଟା ପକ୍ଷରୁ ଖଣ୍ଡନ କରାଯାଇଛି ।

ମାର୍କ ବର୍ତ୍ତମାନ ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ୱାଟସଆପର କମ୍ପାନୀ ମେଟାର ସିଇଓ ଅଛନ୍ତି । ମାର୍କଙ୍କ ଇସ୍ତଫା ମିଛ ବୋଲି ମେଟାର ମୁଖପାତ୍ର ଏକ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । ୨୦୨୩ରେ ମାର୍କ ନିଜ ପଦରୁ ଓହରିଯିବେ ବୋଲି ଦି ଲିକ୍ସ ରିପୋର୍ଟ ଦେଇଥିଲା । ଏହି ରିପୋର୍ଟ ଚାରିଆଡ଼େ ପ୍ରଘଟ ହେବା ପରେ ହଲଚଲ ଆରମ୍ଭ ହୋଇଥିଲା ।

ବର୍ତ୍ତମାନ ମେଟା ବିଜ୍ଞାପନ ଓ ରେଭିନ୍ୟୁ ସମସ୍ୟାରେ ଘେରି ରହିଛି । ନିକଟରେ କମ୍ପାନୀ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା । ମେଟା ପୂର୍ବରୁ ଟ୍ୱିଟର ମଧ୍ୟ ବହୁ କର୍ମଚାରୀଙ୍କୁ ବାହାର କରିଥିଲା । ୨୦୦୪ରେ ଆରମ୍ଭ ହୋଇଥିବା ଫେସବୁକ କମ୍ପାନୀ ୧୮ ବର୍ଷ ପରେ ପ୍ରଥମ ଥର ପାଇଁ କଠିନ ପରିସ୍ଥିତିର ସାମ୍ନା କରିଛି । ଗତବର୍ଷ ନଭେମ୍ବର ପ୍ରାରମ୍ଭରେ କମ୍ପାନୀର ଶେୟାର ୩୩୮ ଡଲାର ରହିଥିଲା । ମାତ୍ର ଚଳିତ ବର୍ଷ ନଭେମ୍ବର ପ୍ରାରମ୍ଭରେ ତାହା ୮୮.୯୧ ଡଲାରକୁ ଖସି ଆସିଛି ।

Get real time updates directly on you device, subscribe now.