fbpx

(Video) ଫେରାଇ ଦିଅ ଆମ ଜିନିଷ, ଫେରାଇ ନିଅ ତୁମ ଜିନିଷ, ଯାଆ ତୋର ମୋର ବାହାଘର ଶେଷ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖାସି ମାଂସ ପାଇଁ ବାହାଘର ଭାଙ୍ଗିଯିବା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ବେଶ୍ ଚର୍ଚ୍ଚା ଚାଲିଛି । ଜିଲ୍ଲାର ଥମା ଥାନା ଅଞ୍ଚଳରେ ଘଟିଥିଲା ଏଭଳି ଏକ ଅଭାବନୀୟ ଘଟଣା । ଉକ୍ତ ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବକଙ୍କର ବିବାହ ସ୍ଥିର ହୋଇଥିଳା । ତେବେ ବରଯାତ୍ରୀମାନେ କନ୍ୟାଘରେ ପହଞ୍ଚିଥିବା ବେଳେ ଅଚାନକ ମଟନ ସରିଯାଇଥିଲା, ଆଉ ଏଇଠୁ ଆରମ୍ଭ ହୋଇଥିଲା ଏକ ନୂଆ କାହାଣୀ ।

ଏହାପରେ ବିଳମ୍ବିତ ରାତିରେ ବରର ସାଙ୍ଗମାନେ ମଟନ୍ ଖାଇବାକୁ ଅଡ଼ି ବସିଥିଲେ । ଏହାକୁ ନେଇ କନ୍ୟାପକ୍ଷ ଦୋଷ ସ୍ୱୀକାର କରିଥିଲେ ହେଁ ବରପକ୍ଷ ଜମା ବୁଝି ନଥିଲେ । ପରେ ଏହି ଖବର କନ୍ୟାଙ୍କ କାନକୁ ଯାଇଥିଲା । ମଟନ ପାଇଁ ଜିଦ୍ କରିବା କଥାକୁ ସହଜରେ ଗ୍ରହଣ କରିପାରିଥିଲେ କନ୍ୟା । ତେଣୁ ସେ ନେଇଥିଲେ ଚରମ ନିଷ୍ପତ୍ତି । ଶେଷରେ କନ୍ୟା ଜଣଙ୍କ ବାହାହେବାକୁ ସିଧାସଳଖ ମନା କରିଦେଇଥିଲେ । ପରେ ବରପକ୍ଷ କ୍ଷମାପ୍ରାର୍ଥନା କରି ଯେତେ ନେହୁରା ହୋଇଥିଲେ ହେଁ କନ୍ୟାପକ୍ଷ ଜମା ଶୁଣିନଥିଲେ । ଫଳରେ ଶେଷରେ ବରଙ୍କୁ ଶିଶୁପାଳ ହୋଇ ଫେରିବାକୁ ପଡ଼ିଥିଲା ।

ତେବେ ଏହି ଘଟଣାରେ ପୁଣି ଆସିଛି ଏକ ନୂଆ ଅପଡେଟ୍ । ଉଭୟ ବରପକ୍ଷ ଓ କନ୍ୟାପକ୍ଷ ଏହି ବିବାଦର ସମାଧାନ ପାଇଁ ଏକ ଚୁକ୍ତିପତ୍ର ସ୍ୱାକ୍ଷର କରିଛନ୍ତି । ଉଭୟ ପକ୍ଷ ପରସ୍ପରଙ୍କୁ ସେମାନଙ୍କର ସବୁ ଜିନିଷପତ୍ର ଫେରାଇଦେବେ । ଅଳ୍ପ ଦିନ ଭିତରେ ଦୁଇ ପକ୍ଷଙ୍କ ମଧ୍ୟରେ ଯେଉଁ ସମ୍ପର୍କ ଗଢ଼ି ଉଠିଥିଲା, ତାହା ଏବେ ସମାପ୍ତ ହୋଇ ଯାଇଛି । ତେବେ ଯଦି କେବେ ବର ଓ କନ୍ୟାଙ୍କର ଦେଖା ହୁଏ ତେବେ କେହି କାହାକୁ ଦୋଷ ଦେବେ ନାହିଁ । ତେବେ ‘ବାହାଘର ଭାଙ୍ଗିଦେଲା ଖାସି ମାଉଁସ’ କଥାଟି ଏବେ ତୁଣ୍ଡ ବାଇଦ ସହସ୍ର କୋଷ ଭଳି ମାଡ଼ି ଚାଲିଛି ।

Get real time updates directly on you device, subscribe now.