ଧାରା ୩୭୦କୁ ନେଇ ସପକ୍ଷବାଦୀ- ବିପକ୍ଷବାଦୀ ମୁହାଁମୁହିଁ, ଧକ୍କାପେଲା, ମୁଥି ମରାମରି

ନୂଆଦିଲ୍ଲୀ: ଗୁରୁବାର ଦିନ ଜମ୍ମୁ କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଖଣ୍ଡଯୁଦ୍ଧ । ଧାରା ୩୭୦ ପୁନଃସ୍ଥାପନ ଦାବି ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ପୁଣି ଧାରା ୩୭୦ ସ୍ଥାପନ କରିବାକୁ ବାରାମୁଳା ସାଂସଦ ଇଞ୍ଜିନିୟର ରସିଦଙ୍କ ଭାଇ ଖୁର୍ଶିଦ ଅହମଦ ସେଖ ବ୍ୟାନର ଦେଖାଇବାକୁ ନେଇ ସୃଷ୍ଟି ହୋଇଥିଲା ହଟ୍ଟଗୋଳ ।

ଗୁରୁବାର ଗୃହ ଆରମ୍ଭରୁ ଦେଖାଦେଇଛି ହଟ୍ଟଗୋଳ ଓ ହୋହଲ୍ଲା । ବିଧାୟକ ଖୁର୍ସିଦ ଧାରା ୩୭୦ ଫେରାଇବା ଦାବିରେ ଗୃହ ଭିତରେ ବ୍ୟାନର ପ୍ରଦର୍ଶନ କରିବା ପରେ ସପକ୍ଷବାଦୀ ଓ ବିପକ୍ଷବାଦୀ ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ । ଏହାକୁ ବିରୋଧ କରିଥିଲେ ବିଜେପି ନେତା ତଥା ବିଧାନସଭାର ବିରୋଧୀ ଦଳ ନେତା ସୁନିଲ ଶର୍ମା । ଏହା ପରେ ପକ୍ଷ, ବିପକ୍ଷ ପରସ୍ପର ମୁହାଁ ମୁହିଁ ହେବା ସହ ହାତାହାତି ହୋଇଥିଲେ । ଗୃହର ସବୁ ମର୍ଯ୍ୟାଦା ଭୁଲି ମୁଥି ମରାମରି ହୋଇଥିଲେ । ଏହା ଦେଖି ଗୃହରେ ନିୟୋଜିତ ମାର୍ଶାଲ ସେମାନଙ୍କୁ ପରସ୍ପରଠାରୁ ଅଲଗା କରିଥିଲେ । ସ୍ଥିତିକୁ ଦେଖି କିଛି ସମୟ ପାଇଁ ଗୃହକୁ ମୁଲତବୀ ରଖିଥିଲେ ।

ବିଧାୟକଙ୍କ ଏତାଦୃଶ କାମକୁ ନେଇ ବିଜେପି ରାଜ୍ୟ ସଭାପତି ରବୀନ୍ଦ୍ର ରୈନା ବର୍ଷିଛନ୍ତି ନାସନାଲ କନଫେରେନ୍ସ ଉପରେ । ସେ କହିଛନ୍ତି ଏନସି ବିଶ୍ୱାସଘାତକତା କରିଛି, ଭାରତବିରୋଧୀ ଭାବାବେଗର ସମର୍ଥନ କରି ପାକିସ୍ତାନକୁ ପ୍ରୋତ୍ସାହିତ କରୁଛନ୍ତି । ଭାରତ ମାତା ପିଠିରେ ଛୁରୀ ଭୁସିଛି କଂଗ୍ରେସ ବୋଲି ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସଭାପତି । ସେ ଆହୁରି କହିଛନ୍ତି, କଂଗ୍ରେସ ଓ ଏନସି ଆତଙ୍କୀ ଏଜେଣ୍ଡାକୁ କାଶ୍ମୀରରେ ପୁଣି ସ୍ଥାପନ କରିବାକୁ ଷଡଯନ୍ତ୍ର କରୁଛନ୍ତି । ତେବେ ବିଜେପି ଏହାକୁ କଦାପି ହେବାକୁ ଦେବ ନାହିଁ ।

ଏଠାରେ କହିରଖୁ କି, ଖୁର୍ସିଦ ଅହମଦ ସେଖ ଲଙ୍ଗେଟ ଆସନପୁ ଆବାମୀ ଇତେହାଦରୁ ବିଧାୟକ ହୋଇଛନ୍ତି । ଏହା ପୂର୍ବରୁ ଗତ ୪ ତାରିଖରେ ପିଡିପି ଏହା ପୂର୍ବରୁ ବିଧାନସଭାରେ ୩୭୦ ଓ ୩୫ଏ ପୁଣି ଲାଗୁ କରିବାକୁ ପ୍ରସ୍ତାବ ଉପସ୍ଥାପନ କରିବାକୁ ଚାହିଁଥିଲେ, ଯାହାକୁ ଗୃହର ସଭାପତି ପ୍ରାରମ୍ଭିକ ଅବସ୍ଥାରେ ଅସ୍ୱୀକାର କରିଥିଲେ । କିନ୍ତୁ ୫ ତାରିଖରେ ପ୍ରସ୍ଥାବ ଉପସ୍ଥାପନ ହୋଇଥିଲା ।