ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫି ବର୍ତ୍ତମାନ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି । ସିରିଜର ୩ଟି ମ୍ୟାଚ୍ ଶେଷ ହୋଇ ସାରିଥିବା ବେଳେ ଏହାପରେ ଉଭୟ ଦଳ ୧-୧ରେ ଫଳାଫଳ ବରାବର ରହିଛି । ତେଣୁ ଭାରତ ପାଇଁ ଆଗାମୀ ୨ଟି ଯାକ ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । କିନ୍ତୁ ଏହାଭିତରେ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ । ତେବେ ଅଶ୍ୱୀନଙ୍କ ସ୍ଥାନ ପୂରଣ କରିବା ପାଇଁ ଏକ ବଡ଼ ସରପ୍ରାଇଜ ପଠାଇପାରେ ବିସିସିଆଇ । ଅଶ୍ୱୀନଙ୍କ ସ୍ଥାନରେ ଦଳରେ ଏଣ୍ଟ୍ରି କରିପାରନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ ।
ବର୍ଡର ଗାଭାସ୍କର ଟ୍ରଫି-୨୦୨୪ର ତୃତୀୟ ମ୍ୟାଚ୍ ପରେ ଅବସର ଘୋଷଣା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱୀନ । ଏହାପରେ ଟିମ ଇଣ୍ଡିଆରୁ ବିଦାୟ ନେଇ ସେ ଭାରତ ଫେରି ଆସିଛନ୍ତି । ତେବେ ଅଶ୍ୱୀନଙ୍କ ପରେ ବର୍ତ୍ତମାନ ଆଗାମୀ ୨ଟି ମ୍ୟାଚ୍ ପାଇଁ ଏକ ଶୂନ୍ୟସ୍ଥାନ ସଷ୍ଟି ହୋଇଛି । ତେଣୁ ଭାରତ ଏହି ସ୍ଥାନ ପୂରଣ କରିବା ପାଇଁ ଷ୍ଟାର ବୋଲର ମହମ୍ମଦ ଶାମୀଙ୍କୁ ପଠାଇପାରେ ବୋଲି ଅନୁମାନ କରାଯାଉଛି । ସେପଟେ ମହମ୍ମଦ ଶାମୀ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଦମଦାର ପ୍ରଦର୍ଶନ କରିବା ପରେ ବିଜୟ ହଜାରେ ଟ୍ରଫି ଅଚାନକ ବ୍ରେକ ନେଇଛନ୍ତି । ଯାହା ଫଳରେ ଏହି ଚର୍ଚ୍ଚା ଆହୁରି ଘନୀଭୂତ ହୋଇଛି । ଅଶ୍ୱୀନଙ୍କ ସ୍ଥାନ ପୂରଣ କରିବା ପାଇଁ ଶାମୀଙ୍କୁ ଅଷ୍ଟ୍ରେଲିଆ ପଠାଇବାକୁ ଚିନ୍ତା କରିପାରେ ଟିମ ଇଣ୍ଡିଆର ଚୟନ କମିଟି ।
ଦୀର୍ଘ ବର୍ଷେ ପର୍ଯ୍ୟନ୍ତ ଆହତ ସମସ୍ୟାରେ ଛନ୍ଦି ହୋଇଥିବା ବେଳେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ କମବ୍ୟାକ କରିଛନ୍ତି ମହମ୍ମଦ ଶାମୀ । ଏହି ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟରେ ମଇଦାକୁ ଫେରିବା ସହ ଶାମୀ ନିଜର ପୁରୁଣା ଅନ୍ଦାଜରେ ସଫଳତା ହାସଲ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଶାମୀ ମୋଟ ୩୫.୩ ଓଭର ବୋଲିଂ କରିଥିବା ବେଳେ ଏଥିରୁ ୧୧ଟି ସଫଳତା ହାସଲ କରିଛନ୍ତି । ଏହାବ୍ୟତୀତ ଚଣ୍ଡୀଗଡ଼ ବିପକ୍ଷ ମ୍ୟାଚରେ ତାଙ୍କ ବ୍ୟାଟ୍ ମଧ୍ୟ କମାଲ କରିଛି । ଏହି ମ୍ୟାଚରେ ୩୨ ରନ୍ କରି ନଟ୍ ଆଉଟ୍ ରହି ଦଳକୁ ବିଜୟ ଭେଟି ଦେଇଥିଲେ ଶାମୀ ।