fbpx

ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ: ଦୂର ହେବ ଡାକ୍ତରୀ ସମସ୍ୟା, ସୂଚନା ଦେଲେ DMET

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପ୍ରତ୍ୟେକ ଜନତା ଯେପରି ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇ ପାରିବେ, ସେଥିପାଇଁ ରାଜ୍ୟ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି । ଚଳିତ ବର୍ଷ କଳାହାଣ୍ଡି ମେଡିକାଲ କଲେଜରେ, ଆସନ୍ତା ୨୦୨୪ରେ ରାଜ୍ୟର ଯାଜପୁର ଓ କନ୍ଧମାଳର ଦୁଇଟି ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କୁ ଗ୍ରହଣ କରାଯିବ । ସେହିପରି ଆସନ୍ତା ୨୦୨୬ ବର୍ଷ ସୁଦ୍ଧା ତାଳଚେର ମେଡିକାଲ କଲେଜ ପ୍ରତିଷ୍ଠା କାର୍ଯ୍ୟ ସମାପ୍ତ ହେବା ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟରେ ମେଡିକାଲ କଲେଜ ଖୋଲିବା ନେଇ ସୂଚନା ଦେଇଛନ୍ତି ମେଡିକାଲ ଶିକ୍ଷା ଓ ଟ୍ରେନିଂ ନିର୍ଦ୍ଦେଶକ (ଡିଏମଇଟି) । ଆଗାମୀ ଦିନରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ଖୋଲିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି । ଏମବିମିଏସ ଡିଗ୍ରୀ ହାସଲ ପରେ ରାଜ୍ୟ ବାହାରକୁ ନ ଯିବା ପାଇଁ ଡାକ୍ତରଙ୍କ ସହିତ ଦୁଇବର୍ଷର ଚୁକ୍ତି କରାଯାଉଛି । ନକଲି ଡାକ୍ତରୀଙ୍କୁ ଚିହ୍ନଟ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏମଇଟି କହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ବ୍ରହ୍ମପୁର, କଟକ ଓ ବୁର୍ଲା ସମେତ ୧୦ଟି ସରକାରୀ ମେଡିକାଲ କଲେଜ ରହିଛି । ଏହାସହିତ ୨ଟି ପିଜି ଓ ଡେଣ୍ଟାଲ ମେଡିକାଲ କଲେଜ ରହିଛି । ପ୍ରତ୍ୟେକ କଲେଜରେ ୧୦୦ଟି ଲେଖାଏଁ ସିଟ୍ ରହିଥିବା ବେଳେ ଏପରି ଭାବେ ମୋଟ ୧୪୦୦ ଏମବିବିଏସ୍ ସିଟ୍ ରହିଛି । ତେବେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ପରେ ରାଜ୍ୟରୁ ଡାକ୍ତରୀ ସମସ୍ୟା ଦୂର ହୋଇଯିବ । ସେଥିପାଇଁ ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ କରୁଛନ୍ତି । ସୂଚନାଯୋଗ୍ୟ ଯେ, ୨୦୨୪ ସୁଦ୍ଧା ଓଡ଼ିଶା ଡାକ୍ତରୀ ବଳକା ରାଜ୍ୟ ଭାବେ ପରିଗଣିତ ହେବ ବୋଲି ଗତବର୍ଷ ରାଜ୍ୟ ସରକାର ସୂଚନା ଦେଇଥିଲେ । ଗତ କିଛିବର୍ଷ ମଧ୍ୟରେ ରାଜ୍ୟରେ ମେଡିକାଲ ଶିକ୍ଷା ଏମବିବିଏସ୍ ସିଟ୍ ସଂଖ୍ୟା ବୃଦ୍ଧି ପାଇଛି ।

Get real time updates directly on you device, subscribe now.