ପୁରୀ: ପୁରୀ ଶ୍ରୀମନ୍ଦିରର ମେଘନାଦ ପାଚେରୀ ଏବେ ଦୟନୀୟ ଅବସ୍ଥାରେ ଦେଖାଯାଉଛି । ବଡ଼ ଦେଉଳରବଡ଼ ପାଚେରୀ ଏବେ ବିପଦ ଘେରିଗଲାଣି । ଶ୍ରୀମନ୍ଦିରକୁ ବେଢି ରହିଥିବା ମେଘନାଦ ପାଚେରୀର ବିଭିନ୍ନ ସ୍ଥାନରେ ଦେଖାଦେଉଛି ଫାଟ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଖାଲି ଫାଟ ରହିଛି ତା’ ନୁହେଁ, ଏହି ପାଚେରୀରୁ ଏବେ ପାଣି ଗଳୁଥିବା ବେଳେ ପାଚେରୀ ଏବେ ଭୁଶୁଡ଼ି ପଡ଼ିବାର ଆଶଙ୍କା ମଧ୍ୟ ଆରମ୍ଭ କଲାଣି । ପାଚେରୀର ବିଭିନ୍ନ ସ୍ଥାନରେ ଫାଟ ଦେଖାଦେବା ପରେ ଏହାକୁ ନେଇ ଅନେକ ଆଲୋଚନା ହେଉଛି । ଶ୍ରୀମନ୍ଦିରରେ ଦିନକୁ ଦିନ ଅନର୍ଥ ଏବଂ ଅଘଟଣ ଦେଖିବାକୁ ମିଳିବା ଏକ ବଡ଼ ବିପଦର ସଂକେତ ବୋଲି କୁହାଯାଉଛି ।
କୋଟି କୋଟି ଓଡିଆ ତଥା ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରାଣକେନ୍ଦ୍ର ଶ୍ରୀମନ୍ଦିରକୁ ଘେରି ରହିଛି ମେଘନାଦ ପାଚେରୀ । ଏହି ପାଚେରୀର ଅନେକ ଐତିହାସିକ ମହତ୍ତ୍ୱ ରହିଛି । କିନ୍ତୁ ଏବେ ଏହି ବିଶାଳ ମେଘନାଦ ପାଚେରୀ ପ୍ରତି ଦେଖାଦେଇଛି ବିପଦ । ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରୀର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଏସବୁ ଫାଟରୁ ଅନବରତ ପାଣି ଗଳୁଥିବା ମଧ୍ୟ ଦେଖିବାକୁ ମିଳୁଛି । ମିଳିଥିବା ସୂଚନା ଅନୁସାରେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରୁଥିବା ଭକ୍ତମାନଙ୍କ ହାତଧୁଆ ପାଣି ମେଘନାଦ ପାଚେରୀର ଏହି ଫାଟ ଦେଇ ବାହାକୁ ବାହାରୁଛି । ଏହା ଆଜି କିମ୍ବା କାଲିର କଥା ନୁହେଁ । ବରଂ ଦୀର୍ଘ ଦିନରୁ ଏଭଳି ପାଣି ମେଘନାଦ ପାଚେରୀରେ ସୃଷ୍ଟି ହୋଇଥିବା ଫାଟ ଏବଂ ରନ୍ଧ୍ର ଦେଇ ବାହାରକୁ ଆସୁଥିବାର ଦେଖାଯାଉଛି । ଆଉ ଲଗାତାର ପାଣି ଗଳୁଥିବାରୁ ମେଘନାଦ ପାଚେରୀ ଉପରେ ଶିଉଳି ମଧ୍ୟ ମାଡିଗଲାଣି ।
ଫଳରେ ମେଘନାଦ ପାଚେରୀ ପ୍ରତି ଦେଖା ଦେଇଛି ବିପଦ । ଏପରିକି ଯଦି ଏହାର ସୁରକ୍ଷା ପ୍ରତି ଧ୍ୟାନ ଦିଆନଯାଏ ତା’ହେଲେ ଭବିଷ୍ୟତରେ ଏହି ଐତିହାସିକ ମେଘନାଦ ପାଚେରୀ ଭଶୁଡି ପଡିବାର ମଧ୍ୟ ଆଶଙ୍କା ରହିଛି ବୋଲି କିଛି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି । ତେବେ ଏ ସମ୍ପର୍କରେ ଅଭିଯୋଗ ପରେ ଏହାକୁ ଗୁରୁତ୍ୱର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ଶ୍ରମିକମାନେ ମେଘନାଦ ପାଚେରୀରୁ ଶିଉଳି ଛଡ଼ାଉଛନ୍ତି । ମେଘନାଦ ପାଚେରୀରେ ପାଣି ଝରୁ ଥିବାରୁ ଏହା ପ୍ରତି ବିପଦ ସୃଷ୍ଟି ହୋଇଥିବା କୁହାଯାଉଛି । ମେଘନାଦ ପାଚେରୀରେ ଫାଟ ମରାମତି ପାଇଁ ତତ୍ପରତା ପ୍ରକାଶ ପାଇଛି । ଏବେ ଶିଉଳି ଛଡା କାମ ଆରମ୍ଭ ହୋଇଥିବା ବେଳେ ମେଘନାଦ ପାଚେରୀରେ ଫାଟ ଗୁଡିକର ମରାମତି ତୁରନ୍ତ କରାଯିବ ।
ତେବେ ଏ ସମ୍ପର୍କରେ ସୂଚନା ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଅତୀତର କିଛି ଭୁଲ କାରଣରୁ ଭବିଷ୍ୟତର ଭୁଲ ହୁଏ । ଯାହା ଅସୁବିଧା ହୋଇଛି ତାର ତୁରନ୍ତ ମରାମତି କରାଯିବ । ଯେମିତି କୌଣସି ସମସ୍ୟା ହେବ ନାହିଁ ସେଥିପ୍ରତି ଗୁରୁତ୍ୱ ଦେଉଛୁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ସେହିପରି ମେଘନାଦ ପାଚେରୀରୁ ପାଣି ଗଳିବା ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଯେ ଏଏସଆଇ ଓ ଟେକ୍ନିକାଲ୍ ଚିମ୍ ସର୍ଭେ କରିଛନ୍ତି । ଘଟଣାକୁ ଗୁରୁତର ସହ ନିଆଯାଇଛି ଓ ଖୁବଶୀଘ୍ର ମରାମତିର ବ୍ୟବସ୍ଥା କରାଯିବ ।