fbpx

ତାଲିବାନର ଉଦାହରଣ ଦେଇ ମୋଦୀଙ୍କୁ ଚେତାବନୀ ଦେଲେ ମେହବୁବା ମୁଫତି, କହିଲେ…     

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଆଫଗାନିସ୍ତାନରେ ତାଲିବାନ ଯୁଗ ଆରମ୍ଭ ହେବା ପରେ ଉତ୍ସାହିତ  ହୋଇ ପଡ଼ିଛନ୍ତି  ଆତଙ୍କୀ ସଂଗଠନ। ପଡ଼ୋଶୀ ଦେଶରେ ତାଲିବାନର ଶାସନ ଆରମ୍ଭ ହେବାର ପ୍ରଭାବ ସମ୍ପ୍ରତି ଜମ୍ମୁ-କଶ୍ମୀରରେ ଅନୁଭୂତ ହୋଇଛି। ଏହାକୁ ନେଇ ଦେଶରେ ରାଜନୀତି ମଧ୍ୟ ଆରମ୍ଭ  ହୋଇଯାଇଛି । ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ତାଲିବାନର ଉଦାହରଣ ଦେଇ ମୋଦୀ ସରକାରଙ୍କୁ  ଚେତାବନୀ ଦେଇଛନ୍ତି । ମେହବୁବା କହିଛନ୍ତି ଯେ, ମୋଦୀ ସରକାର ଅଟଳ ବିହାରୀ ବାଜପେୟୀଙ୍କ ପରି ପାକିସ୍ତାନ ଓ କଶ୍ମୀର ପ୍ରସଙ୍ଗ ଉପରେ ଆଲୋଚନା କରନ୍ତୁ । ଯଦି ସ୍ୱାଧୀନତା ସମୟରେ ବିଜେପି ନଥାନ୍ତା ତେବେ ଆଜି କଶ୍ମୀର ଭାରତର ଅଂଶ ହୋଇ ନଥାନ୍ତା ବୋଲି ମେହବୁବା କହିଛନ୍ତି।

ମେହବୁବା ଶନିବାର ଏକ କାର୍ଯ୍ୟକ୍ରମରେ ତାଲିବାନର ତୁଳନା କରି କହିଛନ୍ତି ଯେ, ଯେତେବେଳେ ଧୈର୍ଯ୍ୟର ସୀମା ରହିବ ନାହିଁ ତେବେ ଆପଣ ରହିବେ ନାହିଁ, ଧ୍ୱଂସ ହୋଇଯିବେ। ପଡ଼ୋଶୀ ଆଫଗାନିସ୍ତାନରେ କଣ ଘଟିଲା ଆପଣ ମଧ୍ୟ ଦେଖିଛନ୍ତି । ସେଠାକାର ସରକାର ମଧ୍ୟ ତାଲିବାନ ସମ୍ମୁଖରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି । ତେଣୁ ଆଜି ଆପଣଙ୍କ ପାଇଁ ସୁଯୋଗ ରହିଛି, ଯେମିତି ବାଜପେୟୀ ଆଲୋଚନା ଆରମ୍ଭ କରିଥିଲେ, ଠିକ୍ ସେହିପରି ଆପଣ ପାକିସ୍ତାନ ଓ କଶ୍ମୀର ପ୍ରସଙ୍ଗକୁ ଗୁରୁତ୍ୱର ସହ ଆଲୋଚନା କରନ୍ତୁ ବୋଲି ମୋଦୀଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏବଂ ରାଜ୍ୟଠୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିଷୟରେ ପ୍ରତିକ୍ରିୟା ଦେଇ ମେହବୁବା କହିଛନ୍ତି, ଆପଣ ଯେଉଁ ଭଳି ବେଆଇନ ଭାବେ କଶ୍ମୀରଙ୍କ ଅଧିକାର ଛଡ଼ାଇଛନ୍ତି, ଅସାମ୍ବିଧାନିକ ପ୍ରକ୍ରିୟାରେ ଜମ୍ମୁ-କଶ୍ମୀରର କ୍ଷତି  କରିଛନ୍ତି, ରାଜ୍ୟର ବିଭାଜନ କରିଛନ୍ତି ତାକୁ ପ୍ରତ୍ୟାହାର କରିବାକୁ ପଡ଼ିବ। ଯଦି ଏମିତି ନକରିବେ ତା ହେଲେ ତାର ଗମ୍ଭୀର ପରିଣାମ ଭୋଗିବେ ବୋଲି ମେହବୁବା ପରୋକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷେ ବିଜେପି ରାଜ୍ୟ ସଭାପତି ରବୀନ୍ଦ୍ର ଜୈନ ରୈନା ଏକ ଟିଭି ଚ୍ୟାନେଲ ସହ ସ୍ୱତନ୍ତ୍ର ଆଲୋଚନା ସମୟରେ ମେହବୁବା ମୁଫତିଙ୍କୁ ଦେଶଦ୍ରୋହୀ ଦର୍ଶାଇ କହିଛନ୍ତି ଯେ, ମୁଫତି ଜମ୍ମୁ-କଶ୍ମୀରରେ ତାଲିବାନ ରାଜ ଚାହାନ୍ତି । ଆମ ପାଖରେ ନରେନ୍ଦ୍ର ମୋଦୀଙ୍କ ପରି ପ୍ରଧାନମନ୍ତ୍ରୀ ଅଛନ୍ତି । ସେ ତାଲିବାନ ହେଉ କି ଲସ୍କର ତୋଇବା ହେଉ, ଯିଏ ବି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିବ ତାକୁ ମାଟିରେ ମିଶାଇ ଦିଆଯିବ ବୋଲି ଜୈନ କହିଛନ୍ତି।

Get real time updates directly on you device, subscribe now.