ପାଗେଳୀ ଝିଅକୁ ଜଙ୍ଗଲରେ ଗଣଦୁଷ୍କର୍ମ, ସହି ନ ପାରି ଫାଶି ଦେଇଦେଲା ୨୩ ବର୍ଷର ଝିଅ
ମାନସିକ ବିକାରଗ୍ରସ୍ତ ଯୁବତୀକୁ ବି ଛାଡ଼ିଲେନି।
ଉତ୍ତରପ୍ରଦେଶ: ଆଜିର ସମାଜ ଏତେ କଳୁଷିତ ହୋଇଗଲାଣି ଯେ ଦିନକୁ ଦିନ ଦୁଷ୍କର୍ମ ଘଟଣା ବଢ଼ି ବଢ଼ି ଚାଲୁଛି। କେତେବେଳେ ନାବାଳିକା ତ ଆଉ କେତେବେଳେ ବୃଦ୍ଧା ଦୁଷ୍କର୍ମର ଶିକାର ହେଉଛନ୍ତି। ଏମିତିକି ଏ କାମାନ୍ଧ ପୁରୁଷ ପାଗେଳୀ ଝିଅକୁ ବି ଛାଡୁନାହାନ୍ତି।
ହଁ ଗାଜିଆବାଦର ଲୋନି ଥାନା ଅଞ୍ଚଳରେ ଜଣେ ୨୩ ବର୍ଷୀୟା ମାନସିକ ବିକୃତ, ବାକ୍ ଏବଂ ଶ୍ରବଣ ବାଧିତ ଝିଅ ଉପରେ ନିର୍ଯାତନା ମାମଲା ସାମ୍ନାକୁ ଆସିଛି।
ଗଣଦୁଷ୍କର୍ମ ପୀଡିତା ଯୁବତୀ ଆତ୍ମହତ୍ୟା କରିଛନ୍ତି। ସନ୍ଦେହଜନକ ପରିସ୍ଥିତିରେ ତାଙ୍କ ମୃତଦେହ ଫାଶୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଯୁବତୀଙ୍କ ବାପା ପୋଲିସ ଏବଂ ଅନ୍ୟମାନଙ୍କୁ ସୂଚନା ଦେଇଥିଲେ ଯେ ତାଙ୍କ ଝିଅ ଆତ୍ମହତ୍ୟା କରିଛି। ଏହି ସମ୍ପୂର୍ଣ୍ଣ ମାମଲାରେ ପ୍ରମାଣ ଆଧାରରେ ପୋଲିସ ଅନେକ ଦିଗରୁ ମୃତ୍ୟୁର କାରଣ ତଦନ୍ତ କରୁଛି।
ପାଗେଳୀ ଝିଅକୁ ଗଣଦୁଷ୍କର୍ମ: ୨୩ ବର୍ଷର ଯୁବତୀ ଜଣକ ଗାଜିଆବାଦର ଲୋନିର ବାସିନ୍ଦା। ପୀଡିତାଙ୍କର ଯେହେତୁ ଟିକେ ମୁଣ୍ଡ ଦୋଷ ରହିଛି ତେଣୁ ସେ ଘରୁ ବାହାରକୁ ଯିବା ପରେ ରାସ୍ତା ଭୁଲି ଯାଇଥିଲେ।
ଯେତେବେଳେ ସେ ଘରକୁ ରାସ୍ତା ପାଇଲେ ନାହିଁ, ସେ ବାଟରେ ଯାଉଥିବା ଲୋକଙ୍କୁ ସାହାଯ୍ୟ ମାଗିଥିଲେ। ଏହି ସମୟରେ ସେ ଜଣେ ବାଇକ୍ ବାଲାକୁ ଲୋନି ଯିବାର ରାସ୍ତା ପଚାରିଲେ।
କିନ୍ତୁ ସାହାଯ୍ୟ କରିବା ବାହାନାରେ ଅଭିଯୁକ୍ତ ତାଙ୍କୁ ତାଙ୍କ ବାଇକ୍ ରେ ନିଥୋରା ଗାଁର ଜଙ୍ଗଲକୁ ନେଇଗଲେ। ଯେଉଁଠାରେ ତିନି ଜଣ ଯୁବକ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ।
ପୀଡିତା ଆତ୍ମହତ୍ୟା କରିଛନ୍ତି: ପୀଡିତାଙ୍କ ବାପା ପୋଲିସକୁ ଲିଖିତ ଅଭିଯୋଗ କରି କହିଛନ୍ତି ଯେ ତାଙ୍କ ଝିଅକୁ ଜଙ୍ଗଲକୁ ନେଇଯାଇଥିଲେ ଏବଂ ଜଣକ ପରେ ଜଣେ ପାଳି କରି ତାଙ୍କୁ ବଳାତ୍କାର କରିଥିଲେ।
ଘଟଣା ପରେ ଝିଅଟି କୌଣସି ପ୍ରକାରେ ଘରେ ପହଞ୍ଚି ନିଜ ସହ ଘଟିଥିବା ଅଘଟଣ ବିଷୟରେ କହିଥିଲେ। ଏହା ପରେ ପରିବାର ଲୋକ ତୁରନ୍ତ ଲୋନି ଥାନାରେ ପହଞ୍ଚି ପୋଲିସକୁ ପୁରା ଘଟଣା ବିଷୟରେ ଜଣାଇଥିଲେ।
ପରିବାରର ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ବର୍ତ୍ତମାନ ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି। ହେଲେ ପରଦିନ ସକାଳେ ଗଣଦୁଷ୍କର୍ମ ପୀଡିତାଙ୍କ ମୃତଦେହ ଘରର ଏକ ରୁମରୁ ଫାଶୀରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।
ଝିଅଟି ଆତ୍ମହତ୍ୟା କରିଥିବା ସୂଚନା ପାଇ ଲୋନି ପୋଲିସ ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣା ବିଷୟରେ ତଦନ୍ତ ଆରମ୍ଭ କରିଛନ୍ତି।
ହତ୍ୟା ସନ୍ଦେହ କରୁଛନ୍ତି: ଝିଅଟିର ବାପା କହିଛନ୍ତି ଯେ ଝିଅଟି ପୂର୍ବରୁ ଅନେକ ଥର ଘରୁ ବାହାରି ଯାଏ ଏବଂ ସେ ସନ୍ଧ୍ୟା ସୁଦ୍ଧା କିମ୍ବା ଦୁଇ-ତିନି ଘଣ୍ଟା ପରେ ଘରକୁ ଫେରି ଆସେ।
ଅନେକ ଥର ଯେତେବେଳେ ସେ ଘରକୁ ଫେରିବାରେ ଡେରି କରେ ସେତେବେଳେ ପରିବାର ଲୋକ ତାକୁ ଖୋଜି ଆଣୁଥିଲେ। ଏପରିକି ଝିଅଟି କହି ପାରୁନଥିଲା କି କିଛି ଶୁଣିପାରୁନଥିଲା। କେବଳ ଠାର ମାଧ୍ୟମରେ ଜାଣୁଥିଲା। ଯାହା ସମସ୍ୟା ଉପୁଜାଉଥିଲା।
ଆଶ୍ଚର୍ଯ୍ୟର କଥା ପୀଡିତାଙ୍କ ବାପାଙ୍କ କହିବା କଥା ଯେତେବେଳେ ଝିଅଟିର ମୃତ୍ୟୁ ଖବର ସେ ଜାଣିବାକୁ ପାଇଲେ ସେତେବେଳେ ଝିଅଟି ଫାଶୀରେ ଝୁଲୁଥିଲା ଏବଂ ତାର ଦୁଇଟି ଗୋଡ଼ ବିଛଣା ଉପରେ ଥିଲା। ତାହାଲେ ତାର ମୃତ୍ୟୁ ହେଲା କିପରି?
ପରିବାର ଲୋକ କହିଛନ୍ତି ଯେ, ସେମାନେ ଅନ୍ୟ ଏକ ରୁମରେ ଥିଲେ ଏବଂ ଝିଅଟି ଏକା ଗୋଟିଏ ରୁମରେ ଶୋଇଥିଲା। ଏପରି ପରିସ୍ଥିତିରେ, ପୋଲିସ ଏବଂ ଆଖପାଖର ଲୋକମାନେ ସମ୍ପୂର୍ଣ୍ଣ ଘଟଣା ଉପରେ ସନ୍ଦେହ ପ୍ରକାଶ କରୁଛନ୍ତି।
ପୋଲିସ ମାମଲାର ତଦନ୍ତ କରୁଛି ଏହା ଅନୁମାନ କରାଯାଉଛି ଯେ ଏହି ଆତ୍ମହତ୍ୟା ପଛରେ ନିକଟତର କିମ୍ବା ପରିବାରର କାହାରି ହାତ ରହିଛି। ଏକାଧାରାରେ କହିବାକୁ ଗଲେ ଏହା ହତ୍ୟା ପରି ମନେ ହେଉଛି।
ପୋଷ୍ଟମର୍ଟମ ପରେ ଜଣାପଡିବ: ପୋଲିସର କହିବା ଅନୁଯାୟୀ, ପୁରା ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି। ବଳାତ୍କାର ଅଭିଯୋଗ ସହିତ ଜଡିତ ପ୍ରମାଣ ସଂଗ୍ରହ କରାଯାଉଛି।
ପୀଡିତା କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ତାହା ମଧ୍ୟ ଫରେନସିକ୍ ଦଳ ତଦନ୍ତ କରୁଛି। ଝିଅଟିର ମୃତଦେହ ଫାଶୀରେ ଝୁଲୁଥିବା ଅବସ୍ଥାରେ ମିଳିଛି। ପୋଷ୍ଟମର୍ଟମ ପରେ ହିଁ ମୃତ୍ୟୁର କାରଣ ଜଣାପଡିବ।