fbpx

ଭୁବନେଶ୍ୱର-ପୁରୀ ଚାଲିବ ମେଟ୍ରୋ ଟ୍ରେନ୍! ଦୁଇ ଦିନ ମଧ୍ୟରେ ହେବ ବଡ଼ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଖୁବଶୀଘ୍ର ରାଜଧାନୀ ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ଧାମ ପୁରୀକୁ ଦୌଡ଼ିବ ମେଟ୍ରୋ ଟ୍ରେନ । ଏହି ଯୋଜନାର ଆଲୋଚନା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା ୨-୩ ଦିନ ମଧ୍ୟରେ ଏକ ବଡ଼ ଘୋଷଣା ହୋଇପାରେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।

ତେବେ ଏହି ଯୋଜନା କାର୍ଯ୍ୟକାରୀ ହେଲେ ଏଣିକି ପୁରୀକୁ ଯିବାକୁ ଆଉ ଘଣ୍ଟା ଘଣ୍ଟା ସମୟ ଲାଗିବ ନାହିଁ । ମାତ୍ର ଅଧ ଘଣ୍ଟାରୁ କମ୍ ସମୟରେ ଭୁବନେଶ୍ୱରରୁ ପୁରୀକୁ ଯାଇ ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥ ଧାମ ପୁରୀକୁ ବିଶ୍ୱ ସ୍ତରୀୟ ଐତିହ୍ୟ ସହର ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ଏକାଧିକ ଯୋଜନା ହାତକୁ ନେଇଛନ୍ତି । ଯଦି ସବୁକିଛି ଠିକଠାକ ହୁଏ, ତେବେ ପୁରୀ-କୋଣାର୍କ-ଭୁବନେଶ୍ୱରକୁ ମେଟ୍ରୋ ଟ୍ରେନ୍ ଚାଲିବ ବୋଲି କୁହାଯାଇଛି ।

ତେବେ ଏକାମ୍ର କ୍ଷେତ୍ର, ଶ୍ରୀକ୍ଷେତ୍ର ଓ ଅର୍କକ୍ଷେତ୍ରକୁ ନେଇ ସ୍ୱର୍ଣ୍ଣିମ ତ୍ରିଭୂଜ କରିଡର କରିବାର ଯୋଜନା ରହିଛି । ଏନେଇ ରାଜ୍ୟ ସରକାର ଓ ରେଳ ମନ୍ତ୍ରଣାଳୟ ମଧ୍ୟରେ ଆଲୋଚନା ଚାଲିଛି । ଖୁବଶୀଘ୍ର ଏହି ପ୍ରସ୍ତାବ ଉପରେ ମୋହର ବାଜିବା ସହ ବଡ଼ ଘୋଷଣା ହୋଇପାରେ । ଏହି ଯୋଜନା କାର୍ଯ୍ୟକାରୀ ହେଲେ ପର୍ଯ୍ୟଟକମାନେ ଭୁବନେଶ୍ୱରର ଧଉଳି, ଲିଙ୍ଗରାଜ କ୍ଷେତ୍ର ଓ ଓଡ଼ିଶାର ଅନ୍ୟାନ୍ୟ କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ବୁଲି ଦେଖିବାର ସୁଯୋଗ ପାଇବେ । ଓଡ଼ିଶାରେ ମେଟ୍ରୋ ଟ୍ରେନ ଚଳାଚଳ ନେଇ ରାଜ୍ୟବାସୀଙ୍କର ଦୀର୍ଘବର୍ଷର ସ୍ୱପ୍ନ ରହିଛି । ପୂର୍ବରୁ ଭୁବନେଶ୍ୱର-କଟକ ମେଟ୍ରୋ ଚଳାଚଳ ନେଇ ଆଲୋଚନା ହୋଇଥିବା ବେଳେ ତାହା ଆଗେଇ ପାରିନଥିଲା ।

Get real time updates directly on you device, subscribe now.