fbpx

ମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲା: ଡାଏରୀ ଖୋଲିବ ଷଡ଼ଯନ୍ତ୍ରର ରହସ୍ୟ, ସକାଳୁ ସକାଳୁ ଗୋପାଳ ଘରେ କ୍ରାଇମବ୍ରାଞ୍ଚ ଟିମ୍

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ ହତ୍ୟା ଷଡ଼ଯନ୍ତ୍ରର ରହସ୍ୟ ଖୋଲିପାରେ ବହିଷ୍କୃତ ଏଏସଆଇ ଗୋପାଳ କୃଷ୍ଣଙ୍କ ଡାଏରୀ । କ୍ରାଇମ୍ବ୍ରାଞ୍ଚ ତଦନ୍ତର ୩ୟ ଦିନରେ ଶୁକ୍ରବାର ଅଭିଯୁକ୍ତ ପୋଲିସ ଏଏସ୍ଆଇ ଗୋପାଳ ଦାସ ରହୁଥିବା କ୍ୱାର୍ଟରରୁ ଡାଏରି ପାଇଛି । ତଦନ୍ତର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । କ୍ରାଇମବ୍ରାଞ୍ଚ କହିଛି ଯେ, ଗୋପାଳଙ୍କ ବନ୍ଦ ଥିବା ସରକାରୀ କ୍ୱାର୍ଟର୍ସ ଯାଞ୍ଚ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜାତ ସହ ଏକ ଡାଏରୀ ମିଳିଛି । ଏହାକୁ କ୍ରାଇମବ୍ରାଞ୍ଚ ଅଫିସର ଯାଞ୍ଚ କରୁଛନ୍ତି । ଅନ୍ୟପଟେ ଗୋପାଳ ମନରେ କ’ଣ ଭାବି ମନ୍ତ୍ରୀଙ୍କୁ ହତ୍ୟା କଲା, ତାହା ପ୍ରଭୁ ଜଗନ୍ନାଥଙ୍କୁ ଜଣା ବୋଲି ଡିଜିପି ସୁନୀଲ ବଂଶଲ କହିଛନ୍ତି ।

କ୍ରାଇମବ୍ରାଞ୍ଚ କହିଛି ଯେ, ଗୋପାଳର ବନ୍ଦ ଥିବା ସରକାରୀ କ୍ୱାର୍ଟରକୁ ଯାଞ୍ଚ କରାଯାଇଥିଲା । ଏହି ସମୟରେ ମାଜିଷ୍ଟ୍ରେଟ୍ ଉପସ୍ଥିତ ଥିଲେ । କ୍ୱାର୍ଟର ଯାଞ୍ଚ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜାତ ମିଳିଥିଲା । କିଛି ହାତଲେଖା କାଗଜ ଓ ପ୍ରିଣ୍ଟ ଡକ୍ୟୁମେଣ୍ଟ ମଧ୍ୟ ମିଳିଥିଲା । ଏଥି ସହିତ ଗୋପାଳର ଡାଏରି ମଧ୍ୟ ମିଳିଥିଲା । କ୍ରାଇମବ୍ରାଞ୍ଚ ଗୋପାଳର ଡାଏରିକୁ ଯାଞ୍ଚ କରିଛି । ସେହିପରି ପାଇଖାନା ଟାଙ୍କିରୁ ମିଳିଥିବା ୨୨ ଖଣ୍ଡ ଟୁକୁଡା କାଗଜକୁ ଗୋପାଳ ଚିହ୍ନଟ କରିଛି । ହାତଲେଖା ତାର ବୋଲି ମଧ୍ୟ କହିଛି । ଟୁକୁଡା କାଗଜକୁ ଯୋଡ଼ି ରହସ୍ୟ କାଢ଼ିବାକୁ ହ୍ୟାଣ୍ଡରାଇଟିଂ ବିଶେଷଜ୍ଞ ଉଦ୍ୟମ କରିଛନ୍ତି । ଗୋପାଳର ହାତଲେଖା କି ନୁହେଁ, ସ୍ପଷ୍ଟ ହେବାକୁ ପରୀକ୍ଷା ପାଇଁ ପଠାଯିବ ।

ନବ ଦାସ ମୃତ୍ୟୁ ମାମଲାରେ ତଦନ୍ତ ଜାରି ରହିଛି । ସମୟ ଗଡ଼ିଚାଲିଛି । କିନ୍ତୁ କ୍ରାଇମବ୍ରାଞ୍ଚ ମାମଲାର ମୂଳରେ ପହଞ୍ଚି ପାରିନାହିଁ । ଏହାରି ଭିତରେ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ୬ ଦିନ ବିତିଛି । ମୃତ୍ୟୁ ପଛର ରହସ୍ୟ ଏବେ ବି ରହସ୍ୟ ଘେରରେ ରହିଛି । କାହିଁକି ମନ୍ତ୍ରୀଙ୍କୁ ଗୋପାଳ ଦାସ ଗୁଳି କରି ହତ୍ୟା କଲା, ଏହା ଜାଣିବାକୁ ସାରା ଓଡ଼ିଶାବାସୀ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି । ହେଲେ ହତ୍ୟାକାଣ୍ଡର ପ୍ରକୃତ କାରଣ ପାଖରେ ତଦନ୍ତକାରୀ ଦଳ ପହଞ୍ଚି ପାରିନାହିଁ ।

ଅନ୍ୟପଟେ ଆଜି ସକାଳୁ ସକାଳୁ ଗୋପାଳର ଆଙ୍କୁଲି ସ୍ଥିତ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ଗୋପାଳର ପତ୍ନୀ ଓ ପୁତୁରାକୁ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା ଆରମ୍ଭ କରିଛି । ପୂର୍ବରୁ ଗୋପାଳର ବଡ଼ ଭାଇଙ୍କୁ ଜେରା କରି ଛାଡ଼ିଥିଲା କ୍ରାଇମବ୍ରାଞ୍ଚ । ତେବେ ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ କାହିଁକି ହତ୍ୟା କଲା, ସେନେଇ ଏଯାବତ୍ କାରଣ ଅସ୍ପଷ୍ଟ ରହିଛି ।

ସୂଚନାଯୋଗ୍ୟ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗତମାସ ୨୯ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟାରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ । ସେ ସେହି କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚି ମଂଚାସୀନ ହେବା ପୂର୍ବରୁ ତାଙ୍କୁ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ମୁତୟନ ହୋଇଥିବା ପୋଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସ ଗୁଳି କରିଥିଲେ । ନବ ଦାସଙ୍କ ଛାତିରେ ଗୁଳି ବାଜିଥିବାରୁ ସେ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା । ଭୁବନେଶ୍ୱରସ୍ଥିତ ଆପଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା । ଏହି ଘଟଣାରେ ଅଭିଯୁକ୍ତ ଏଏସ୍ଆଇ ଗୋପାଳକୃଷ୍ଣଙ୍କୁ ପୋଲିସ ଗିରଫ କରିଛି । ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ୩ଟି ଟିମ୍ ଗଠନ କରିଛି ।

Get real time updates directly on you device, subscribe now.