ବାଲେଶ୍ୱର(ଓଡ଼ିଶା ଭାସ୍କର): ତୃତୀୟ ଶ୍ରେଣି ପିଲା ପଣିକିଆ କହି ନପାରିବାରୁ ବନ୍ଦ ହୋଇଯାଇଛି ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା। କିଛି ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ଏକ ବିଦ୍ୟାଳୟରେ। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ବାଲେଶ୍ୱର ଗସ୍ତରେ ଯାଇ ଅଚାନକ ବିଭିନ୍ନ ସ୍କୁଲ୍ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ।
ତେବେ ମହାବୀର ନୋଡାଲ ୟୁପି ସ୍କୁଲର ବିଦ୍ୟାର୍ଥୀମାନଙ୍କ ସହ କଥା ହେଉଥିବା ସମୟରେ ତୃତୀୟ ଶ୍ରେଣୀର ପିଲାମାନେ ପଣିକିଆ କହିପାରି ନଥିଲେ। ଏହାଦେଖି ମନ୍ତ୍ରୀ କ୍ଷୁବ୍ଧ ହୋଇଯାଇଥିଲେ। ଏହାପରେ ଗଣଶିକ୍ଷା ମନ୍ତ୍ରୀ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ୍ ରେ ପିଲାମାନେ ଅତିଥିମାନଙ୍କ ଆଗରେ କଥା କହିବା ସମୟରେ ଥଙ୍ଗଥଙ୍ଗ ହେଉଥିବା ମନ୍ତ୍ରୀ ନଜର କରିଥିଲେ। ତେବେ ଏଥିପାଇଁ ୧୫ ଦିନ ମଧ୍ୟରେ ଉତ୍ତର ଦେବାକୁ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସେହିପରି କେନ୍ଦୁଝର ଗସ୍ତ ସମୟରେ ମନ୍ତ୍ରୀ ଏକ ଘରୋଇ ସ୍କୁଲ୍ ବସ୍କୁ ମଧ୍ୟ ଫାଇନ୍ କରି ପୋଲିସ ଜିମାରେ ଦେଇଥିଲେ। ବର୍ତ୍ତମାନ ଗଣଶିକ୍ଷା ମନ୍ତ୍ରୀଙ୍କ ଏହି ଆକ୍ସନ୍ ମୁଡ୍ ଦେଖି ସବୁ ସ୍କୁଲ୍ର ଶିକ୍ଷକ ଶିକ୍ଷୟତ୍ରୀ ଛାନିଆ ହୋଇଯାଇଛନ୍ତି।
ଏହି ସମୟରେ ମନ୍ତ୍ରୀ ସଦର ବିଧାୟକ ସୂରୁପ ଦାସଙ୍କ ସହିତ ବାଲେଶ୍ୱର ଟାଉନ ହାଇସ୍କୁଲ, ବାରବାଟୀ ଗାର୍ଲସ ହାଇସ୍କୁଲ ଆଦି ସ୍କୁଲ ବୁଲି ପିଲାମାନଙ୍କ ସହିତ ଆଲୋଚନା କରିଥିଲେ। ଗଣଶିକ୍ଷା ମନ୍ତ୍ରୀ ଏବେ ୪ ଦିନିଆ ଜିଲ୍ଲା ଗସ୍ତରେ ଅଛନ୍ତି। ପ୍ରତ୍ୟେକ ଜିଲ୍ଲାର ପ୍ରଧାନଶିକ୍ଷକ ସମ୍ମିଳନୀ ଚାଲିଛି। ଗତ ୨୩ ତାରିଖରେ କେନ୍ଦୁଝରରେ, ୨୪ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ମିଟିଙ୍ଗ ସରିଛି। ଆଜି ଅପରାହ୍ନ ୩ଟାରେ ବାଲେଶ୍ୱର ଜିଲ୍ଲାରେ ମିଟିଙ୍ଗ ଥିବା ବେଳେ ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କରୋନା ଯୋଗୁଁ ଶିକ୍ଷା ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଯାଇଥିବା ବେଳେ ତାହାକୁ ପୁଣି ଥରେ ଟ୍ରାକ୍କୁ ଫେରାଇ ଆଣିବାକୁ ଏହି କାର୍ଯ୍ୟକ୍ରମରେ ବିସ୍ତୃତ ଭାବେ ଆଲୋଚନା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।