ସୁନ୍ଦରଗଡ଼: (ଓଡ଼ିଶା ଭାସ୍କର) ନାବାଳିକାକୁ ଗଣଦୁଷ୍କର୍ମ, ସାକ୍ଷୀ ରହିଲା ଥାନା । କଥାଟା ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏପରି ଛାତିଥରା ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଅଞ୍ଚଳରେ । ଗତକାଲି ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଜଣେ ୧୫ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଛି । ଏନେଇ ରାଉରକେଲା ଉଦିତନଗର ଥାନାରେ ଅଭିଯୋଗ ହୋଇଛି । ଏହି ମାମଲାରେ ୩ ଜଣଙ୍କୁ ଅଟକ ରଖିଛି ଉଦିତନଗର ପୁଲିସ ।
ସେମାନଙ୍କ ମଧ୍ୟରେ ନାବାଳିକାର ପୁରୁଷ ବନ୍ଧୁ, ବିଶ୍ରା ଅଞ୍ଚଳର ଜଣେ ଯୁବକ ଓ ସେହି ଅଞ୍ଚଳର ଜଣେ ମାଛ ବେପାରୀ ଅଛନ୍ତି । ଶୁକ୍ରବାର ସେମାନଙ୍କୁ କୋର୍ଟଚାଲାଣ କରାଯିବା ନେଇ ସୂଚନା ରହିଛି । ଅଭିଯୋଗ ମୁତାବକ, ରାଉରକେଲା ଉଦିତନଗର ଅଞ୍ଚଳରେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ପିଡ଼ୀତାଙ୍କ ଘର । ରାଉରକେଲାରେ ରହୁଥିବା ତାଙ୍କ ପୁରୁଷବନ୍ଧୁ ଓ ବିଶ୍ରା ଅଞ୍ଚଳର ଜଣେ ବନ୍ଧୁ ନାବାଳିକାଙ୍କୁ କୌଣସି ପ୍ରକାରର ପ୍ରଲୋଭିତ କରି ବିଶ୍ରା ସହରର ଗ୍ରିନ୍ଗାର୍ଡେନକୁ ନେଇ ଯାଇଥିଲେ।
ଥାନା ନିକଟରେ ଏକ ଘରେ ତାଙ୍କୁ ରାତିସାରା ଦୁଷ୍କର୍ମ କରିଥିଲେ । ଏସବୁକୁ ସେହି ଘରେ ରହୁଥିବା ମାଛ ବେପାରୀ ଦେଖି ଦେଇଥିଲା, ନାବାଳିକାକୁ ବଞ୍ଚାଇବା ବଦଳରେ ସେ ମଧ୍ୟ ନାବାଳିକାକୁ ଦୁଷ୍କର୍ମ କରିଥିଲା । ରାତିସାରା ଦୁଷ୍କର୍ମର ଶିକାର ହେବା ପରେ ନାବାଳିକାଙ୍କ ପ୍ରବଳ ରକ୍ତସ୍ରାବ ହୋଇଥିଲା । ପୁରୁଷବନ୍ଧୁ ଓ ବିଶ୍ରା ଅଞ୍ଚଳର ଯୁବକ ଡ଼ରିଯାଇ ନାବାଳିକାଙ୍କୁ ସେପରି ଅବସ୍ଥାରେ ଛାଡ଼ି ସେଠାରୁ ଫେରାର ହୋଇଯାଇଥିଲେ ।