ସଚିନ୍ ତେନ୍ଦୁଲକରଙ୍କ ବିଶ୍ୱରେକର୍ଡ ଭାଙ୍ଗିଲେ ମିଥାଲି ରାଜ୍: ୨୨ ବର୍ଷ ଧରି ଅତୁଟ ଥିଲା ରେକର୍ଡ

ନୂଆଦିଲ୍ଳୀ: ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ମିଥାଲି ରାଜ୍ । ଦୀର୍ଘ ବର୍ଷ ଧରି ଆନ୍ତର୍ଜାତୀୟ କ୍ରିକେଟ ଖେଳିବାର ଯେଉଁ ରେକର୍ଡ ସଚିନଙ୍କ ନାମରେ ରହିଥିଲା ତାକୁ ମଧ୍ୟ ଭାଙ୍ଗିଛନ୍ତି ମିଥାଲି । ନିଜ ରେକର୍ଡ ବୁକରେ ଆଉ ଏକ ଅଧ୍ୟାୟ ଯୋଡିଛନ୍ତି ମିଥାଲି । ପଦାର୍ପଣରେ ଶତକ, ସବୁଠାରୁ କମ ବୟସରେ ଶତକ, ମହିଳା କ୍ରିକେଟରଙ୍କ ମଧ୍ୟରେ ସର୍ବାଧିକ ରନ୍ ପରି ମାଇଲଖୁଣ୍ଟର ଅଧିକାରୀ ରହିଥିବା ମିଥାଲି ନିଜ ରେକର୍ଡ ଫର୍ଦ୍ଦରେ ଆଉ ଏକ ଅଧ୍ୟାୟ ଯୋଡିଛନ୍ତି । ତେବେ ବିନା କୌଣସି ହୋ ହାଲ୍ଲାରେ ମିଥାଲି ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ଏହି ରେକର୍ଡ ବନାଇବାକୁ ସଚିନଙ୍କୁ ୨୨ ବର୍ଷ ସମୟ ଲାଗିଥିଲା ।

୧୨ ଫେବୃୟାରୀ ଯେଉଁ ଦିନ ଯୁବ ଖେଳାଳି ମାନେ ଆଇପିଏଲ ନିଲାମୀରେ କୋଟି କୋଟି ଟଙ୍କାରେ ବିକ୍ରି ହେଉଥିଲେ ସେହି ସମୟରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ରେକର୍ଡ କରିଥିଲେ ମିଥାଲି । ପ୍ରଥମ ଦିନିକିଆ ଖେଳିବା ସହିତ ଦୀର୍ଘ ବର୍ଷ ଧରି ଆନ୍ତର୍ଜାତୀୟ ସ୍ତରରେ ଖେଳିବାର ଯେଉଁ ରେକର୍ଡ ସଚିନ୍ ତେନ୍ଦୁଲକରଙ୍କ ନାମରେ ଥିଲା ତାଙ୍କୁ ଭାଙ୍ଗିଥିଲେ ସଚିନ । ୨୨ ବର୍ଷ ୯୧ ଦିନ ପର୍ଯ୍ୟନ୍ତ ସଚିନ୍ ଆନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ରହିଥିଲେ । ତେବେ ଏହି ମ୍ୟାଚ୍ ଖେଳିବା ସହିତ ମିଥାଲି ୨୨ ବର୍ଷ ୨୩୧ ଦିନ ହେଲାଣି କ୍ରିକେଟ ଖେଳୁଛନ୍ତି । ସଚିନ୍ ତେନ୍ଦୁଲକର ୧୨ ଡିସେମ୍ବର ୧୯୮୯ରୁ କ୍ରିକେଟ ଖେଳିବା ଆରମ୍ଭ କରିଥିବା ବେଳେ ୧୮ ମାର୍ଚ୍ଚ ୨୦୧୨ରେ ନିଜର ଅନ୍ତିମ ମୁକାବିଲା ଖେଳିଥିଲେ । ମିଥାଲି ୨୬ ଜୁନ୍ ୧୯୯୯ରେ ପଦାର୍ପଣ ମୁକାବିଲା ଖେଳିଥିଲେ ଏବଂ ବର୍ତ୍ତମାନ ଯାଏଁ ଆନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ଅଛନ୍ତି ।