fbpx
BSKY
BJD MC SKY
BJD YOUTH SKY

ବିଜେଡିରୁ ଇସ୍ତଫା ଦେଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି: ଆସନ୍ତାକାଲି ବିଜେପିରେ ଯୋଗଦେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାର ଅଛି । ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ରାଜନୈତିକ ଦଳମାନେ ସେନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଅନ୍ୟପକ୍ଷରେ ନିର୍ବାଚନ ପୂର୍ବରୁ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନିକଟରେ ରାଜ୍ୟର ବିଭିନ୍ନ ଦଳର କିଛି ନେତା ଅନ୍ୟ ଦଳରେ ସାମିଲ ହୋଇଥିବାର ଦେଖାଯାଇଛି ।

ତେବେ ଏହା ମଧ୍ୟରେ ରାଜ୍ୟ ରାଜନୀତିରୁ ଆସିଛି ଏକ ବଡ଼ ଖବର । ବିଜେଡିରୁ ଇସ୍ତଫା ଦେଇଛନ୍ତି ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ ଅରବିନ୍ଦ ଢାଲି । ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ନିଜର ଇସ୍ତଫା ପତ୍ରକୁ ଶ୍ରୀ ଢାଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଶ୍ରୀ ଢାଲି ଆସନ୍ତାକାଲି ବିଜେପିରେ ଯୋଗ ଦେବେ ବୋଲି କୁହାଯାଉଛି । ଏନେଇ ଅରବିନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ତେବେ ଅରବିନ୍ଦଙ୍କ ଇସ୍ତଫା ପରେ ଏବେ ବିଜେଡିକୁ ଏକ ବଡ଼ ଝଟକା ଲାଗିଛି । କ’ଣ ପାଇଁ ଦଳ ଛାଡ଼ିଲେ ସେ ବାବଦରେ କିଛି ତଥ୍ୟ ଦେବାକୁ ଶ୍ରୀ ଢାଲି ମନା କରିଦେଇଛନ୍ତି । ଏ ବାବଦରେ ସେ ଆସନ୍ତାକାଲି ସୂଚନା ଦେବେ ବୋଲି କହିଛନ୍ତି । ଜଣେ ସନ୍ତୁଷ୍ଟ ଥିଲେ ଦଳ ଛାଡ଼ିବ ନାହିଁ ବୋଲି ସେ କହିଛନ୍ତି । ଶ୍ରୀ ଢାଲି ୬ ଥର ରାଜ୍ୟ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୨ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ ମାଲକାନଗିରି ଓ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ଜୟଦେବ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ । ବିଜେଡି-ବିଜେପି ମେଣ୍ଟ ସରକାରରେ ସେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ପରିବହନ ଓ ନିଗମ ମନ୍ତ୍ରୀ ଥିଲେ । ୨୦୦୬ ମସିହାରେ ସେ ବିଜେପିରେ ସାମିଲ ହୋଇଥିଲେ । ୨୦୦୮ରେ ସେ ସମାଜବାଦୀ ପାର୍ଟି ଓ ପରବର୍ତ୍ତୀ ସମୟରେ ବିଜେଡିରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.