fbpx

ସକାଳୁ ସକାଳୁ ବଡଗଡ ଅଞ୍ଚଳରୁ ମୋବାଇଲ ଚୋରି, ଚୋରକୁ କାବୁ କଲେ ସ୍ଥାନୀୟ ଲୋକ

ଭୁବନେଶ୍ୱର: ଆମ ରାଜଧାନୀରେ ଦିନକୁ ଦିନ ଚୋରି, ରାହାଜାନୀ, ଛିନତାଇ ଘଟଣା ଯେମିତି ସାଧାରଣ ହୋଇଗଲାଣି । ସାମାନ୍ୟ ଅସାବଧାନତା ପାଇଁ ରାସ୍ତା ଉପରେ ଆଖି ଟାକି ବସିଥିବା ଚୋର ଝାମ୍ପିନେଉଛନ୍ତି ମୂଲ୍ୟବାନ ସାମଗ୍ରୀ । ଏମିତି ଏକ ଘଟଣା ଆଜି ସକାଳୁ ସକାଳୁ ବଡଗଡ ଅଞ୍ଚଳରେ ଘଟିଯାଇଛି । ତେବେ ମୋବାଇଲ ନେଇଥିବା ଚୋରକୁ ସ୍ଥାନୀୟ ଲୋକ ଧରି ପୋଲିସ ଜିମା ଦେଇଛନ୍ତି ।

ପୂର୍ବହ୍ନ ପ୍ରାୟ ୯.୩୦ ମିନିଟ । କଳ୍ପନା ବଡଗଡ ଟ୍ରାଫିକ ଛକ ନିକଟରେ ଥିବା ଏକ ଗାଡି ପାର୍ଟସ୍ ଦୋକାନ ଆଗରେ ଏକ ସ୍କୁଟି ବାସ୍କେଟରେ ଥିବା ମୋବାଇଲକୁ ଅତି ଚତୁରତା ସହ ଜଣେ କେହି ନେଇ ଚାଲିଯାଇଥିଲା । ମୋବାଇଲର ମାଲିକ ସ୍କୁଟି ନିକଟକୁ ଆସି ତାଙ୍କ ମୋବାଇଲ ଚୋରି ହୋଇ ଯାଇଥିବା ଦେଖି ବ୍ୟସ୍ତ ହୋଇପଡିଥିଲେ । ସେଠାରେ ଥିବା ଏକ ଦୋକାନର ସିସିଟିଭି ଫୁଟେଜ ଚେକ୍ କରିଥିଲେ ।

ଫୁଟେଜରେ ଏହି ମୋବାଇଲ ଚୋରି ଘଟଣାରେ ଦୁଇ ଜଣଙ୍କ ସମ୍ପୃକ୍ତି ଦେଖିବାକୁ ମିଳିଥିଲା । ମୋବାଇଲକୁ ଦେଖି ହୁଏତ ସେମାନଙ୍କ ମଧ୍ୟରୁ ଜଣେ ସେଠାରୁ କିଛି ଦୂରକୁ ଚାଲିଯାଇଥିଲେ । ଅନ୍ୟ ଜଣକ ମୋବାଇଲ ସ୍କୁଟିରେ ଆଣିବା ପରେ କିଛି ଦୂରକୁ ଆସିବା କ୍ଷଣି ସେଠାରୁ ଚାଲିଯାଇଥିବା ଲୋକଟି ଆସି ସାଥୀଠାରୁ ମୋବାଇଲ ନେଇ ଚାଲିଯାଇଥିଲା । ଏହା ପରେ ଉଭୟ ଅଲଗା ଅଲଗା ଦିଗରେ ଚାଲିଯାଇଥିଲେ ।

ଫୁଟେଜକୁ ଦେଖି ସ୍ଥାନୀୟ କିଛି ଲୋକ ଓ ଦୋକାନୀ ଜଣେ ଚୋରକୁ କାବୁ କରିବା ସହ ବଡଗଡ ପୋଲିସ ଜିମା ଦେଇଥିଲେ । ତେବେ ତା ନିକଟରୁ ମୋବାଇଲ ମିଳିନାହିଁ । ଉଭୟଙ୍କ ବେଶ ପୋଷାକରୁ ସେମାନେ ଶ୍ରମିକ ଶ୍ରେଣୀର ହୋଇଥିବା ଜଣାପଡୁଛି । ଘଟଣାରେ ଆଉ କିଛି ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ପୋଲିସ ଅନ୍ୟ ଚୋରଙ୍କୁ ଧରିବାକୁ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.