fbpx

ମୋବାଇଲ୍ ରିଚାର୍ଜରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବା ଆଶଙ୍କା

ନୂଆଦିଲ୍ଲୀ: ଏଣିକି ମୋବାଇଲ ରିଚାର୍ଜ କରିବାରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ । ଆଉ କିଛି ମାସ ପରେ ଟେଲିକମ୍ କମ୍ପାନିଗୁଡ଼ିକ ରିଚାର୍ଜ ମୂଲ୍ୟରେ ବୃଦ୍ଧି କରିବା ଆଶା କରାଯାଉଛି। ତେବେ ନିର୍ବାଚନ ପର୍ଯ୍ୟନ୍ତ ‌ସେଭଳି କିଛି ଘଟିବ ନାହିଁ। ଯାହା କିଛି ହେବ ଚଳିତ ବର୍ଷର ଦ୍ବିତୀୟ ଭାଗରେ ଘୋଷଣା ହେବ। ସେହି ସମୟରେ ମୋବାଇଲ୍ ଶୁଳ୍କରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବା ଆଶଙ୍କା କରାଯାଉଛି।

ଟେଲିକମ୍ କମ୍ପାନିଗୁଡ଼ିକ ୨୦୧୯ ଏବଂ ୨୦୨୧ରେ ଟାରିଫ୍ ବଢ଼ାଇ ଥିଲେ। ଶେଷ ଦରବୃଦ୍ଧିକୁ ଇତି ମଧ୍ୟରେ ଦୁଇ ବର୍ଷ ବିତିଗଲାଣି। ନିଜ ଆର୍ଥିକ ସ୍ଥିତି ସୁଧାରିବା ଲାଗି କମ୍ପାନିଗୁଡ଼ିକ ଚଳିତ ବର୍ଷ ଟାରିଫ୍ ବଢ଼ାଇପାରନ୍ତି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ବିଏନ୍‌ପି ପରିବାସ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ଆମେରିକା ସିକ୍ୟୁରିଟିଜ୍, ଜେଏମ୍ ଫାଇନାନ୍ସିଆଲ୍ ଭଳି ସଂସ୍ଥା ଆକଳନ କରିଛନ୍ତି ଯେ ଟେଲିକମ୍ କମ୍ପାନିଗୁଡ଼ିକ ଚଳିତ ବର୍ଷ ଟାରିଫ୍ ଦାମ୍‌ରେ ବୃଦ୍ଧି କରିପାରନ୍ତି।

ଭାରତରେ ମୋବାଇଲ୍ ଶୁଳ୍କ ସାରା ବିଶ୍ବରେ ସର୍ବନିମ୍ନ। ବିଶ୍ବବ୍ୟାପୀ ହାରାହାରି ଟେଲିକମ୍ ଶୁଳ୍କ ୪ ଡଲାର ଥିବା ବେଳେ ଭାରତରେ ତାହା ମାତ୍ର ୨ ଡଲାର ରହିଛି। ୨୦୧୭ ପରେ ଭାରତରେ ଟେଲିକମ୍ ଶୁଳ୍କ ଦୁଇ ଗୁଣା ବୃଦ୍ଧି ପାଇବା ସତ୍ତ୍ବେ ତାହା ବିଶ୍ବର ସବୁଠୁ ସୁଲଭ ରହିଛି। ଭାରତୀୟମାନେ ବିପୁଳ ମାତ୍ରାରେ ଡାଟା ବ୍ୟବହାର କରୁଛନ୍ତି। ବିଶେଷ କରି ପେମେଣ୍ଟ (ପଇଠ) ଓ ମନୋରଞ୍ଜନ ଲାଗି ସେମାନେ ଅଧିକ ଡାଟା ଖର୍ଚ୍ଚ କରୁଛନ୍ତି। ଟେଲିକମ୍ କମ୍ପାନିଙ୍କୁ ଗୁଣାତ୍ମକ ସେବା ବଜାୟ ରଖିବା ଲାଗି ନେଟ୍‌ୱର୍କରେ ବିପୁଳ ନିବେଶ କରିବାକୁ ପଡ଼ୁଛି। ଏହା ବ୍ୟତୀତ ଟେଲିକମ୍ କମ୍ପାନିଗୁଡ଼ିକ ୫ଜି ନେଟ୍‌ୱର୍କ ସ୍ଥାପନ କରିବାରେ ମଧ୍ୟ ବିପୁଳ ନିବେଶ କରିଛନ୍ତି। ଗ୍ରାହକ ପିଛା ରାଜସ୍ବ ସେମାନଙ୍କ ଆୟର ଏକ ପ୍ରମୁଖ ଭାଗ ହୋଇଥିବା ବେଳେ ତାହା କମ୍ ଥିବାରୁ ନେଟ୍‌ୱର୍କ ଉନ୍ନତୀକରଣ ଲାଗି ପାଣ୍ଠି ଯୋଗାଡ଼ କରିବା ‌କମ୍ପାନିଗୁଡ଼ିକ ଲାଗି କଷ୍ଟକର ହେଉଛି।

Get real time updates directly on you device, subscribe now.