fbpx

କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ଅତ୍ୟାଧୁନିକ କ୍ୟାନସର କେୟାର ସେଣ୍ଟର: ମାଗଣାରେ ମିଳିବ ଅନେକ ଚିକିତ୍ସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକର ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନ ଓ ଭୁବନେଶ୍ୱରର ଏମ୍ସ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସରକାରୀ ହସ୍ପିଟାଲରେ କ୍ୟାନସର ଚିକିତ୍ସା ପାଇଁ ଉନ୍ନତ ମାନର ସୁବିଧା ଉପଲବ୍ଧ ନାହିଁ । ତେଣୁ କ୍ୟାନସର ରୋଗୀମାନେ ଚିକିତ୍ସା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିଥାନ୍ତି । ଏହି ସମସ୍ୟାକୁ ଦୂର କରିବା ପାଇଁ ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଅତ୍ୟାଧୁନିକ କ୍ୟାନସର କେୟାର ସେଣ୍ଟର ସ୍ଥାପନ ନେଇ ଜୋରସୋରରେ ପ୍ରୟାସ ଆରମ୍ଭ ହୋଇଛି ।

ସୂଚନା ମୁତାବକ, ଏଥିରେ ୫୦ଟି ଶଯ୍ୟା ରହିବ ଓ ଏଥିପାଇଁ ପାଖାପାଖି ୫୦ କୋଟି ଟଙ୍କା ଖର୍ଚ୍ଚ ହେବ । କ୍ୟାପିଟାଲ ହସ୍ପିଟାଲରେ ପ୍ରସ୍ତାବିତ କ୍ୟାନସର କେୟାର ସେଣ୍ଟର ପାଇଁ ୨୦୨୨ ମସିହା ଏପ୍ରିଲ ମାସରୁ ଅନୁମୋଦନ ମିଳିଥିଲା । ଗୁରୁଗ୍ରାମର ଏକ ସଂସ୍ଥା ଏହାର ନିର୍ମାର ଦାୟିତ୍ୱ ନେଇଥିବା ବେଳେ ଗତ ମାର୍ଚ୍ଚ ମାସରୁ ତା’ର କାମ ଆରମ୍ଭ ହୋଇଛି । ଏହି ସେଣ୍ଟରକୁ ଲେଭଲ-୨ କରାଯାଇ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୫୦ଟି ଶଯ୍ୟା ରଖାଯିବ ।

ଏଥିସହିତ କ୍ୟାନସର ରୋଗୀଙ୍କ ଚିହ୍ନଟ ପାଇଁ ଉନ୍ନତ ଧରଣର ଡାଇଗ୍ନୋଷ୍ଟିକ ସୁବିଧା, ଆଇସିୟୁ ସୁବିଧା, କେମେଥେରାପି ସହ ରେଡିଓଲୋଜି ସୁବିଧା ରହିବ । ଜନସାଧାରଣଙ୍କୁ ଉନ୍ନତ ସେବା ପ୍ରଦାନ ପାଇଁ ଅଙ୍କୋଲୋଜି ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ । ରୋଗୀଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବାକୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ । ରାଜ୍ୟରେ ପ୍ରତିବର୍ଷ ୫୦ ହଜାର କ୍ୟାନସର ରୋଗୀ ଚିହ୍ନଟ ହେଉଥିବା ବେଳେ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲରେ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ ।

୨୦୧୬ରେ କ୍ୟାପିଟାଲ ହସ୍ପିଟାଲରେ ଏକ କ୍ୟାନସର କେୟାର ୟୁନିଟ୍ ଖୋଲିଥିଲା । ଏବେ ନୂଆ କ୍ୟାନସର କେୟାର ସେଣ୍ଟର ଖୋଲିଲେ ରୋଗୀମାନେ ବିଶେଷ ଭାବେ ଉପକୃତ ହୋଇ ପାରିବେ । ରାଜ୍ୟର ୧୧ଟି ସରକାରୀ ହସ୍ପିଟାଲରେ କ୍ୟାନସର ୱିଙ୍ଗ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିସହିତ ୩ଟି ସ୍ପେଶାଲ ଘରୋଇ କ୍ୟାନସର ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ଗତ ଗତ ଫେବୃଆରୀ ମାସରେ କୁହାଯାଇଥିଲା ।

Get real time updates directly on you device, subscribe now.