Truth Socialରେ ଯୋଡ଼ିହେଲେ ପ୍ରଧାନମନ୍ତ୍ରୀ, ପ୍ରଥମେ ଟ୍ରମ୍ପଙ୍କୁ କଲେ ଫଲୋ

ଟ୍ରମ୍ପଙ୍କ ସୋସିଆଲ ମିଡିଆରେ ମୋଦି । ପୁରୁଣା ଫଟୋରୁ ଆରମ୍ଭ କଲେ ପ୍ରଥମ ପୋଷ୍ଟ ।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ସୋସିଆଲ ମିଡିଆ ସହିତ ଯୋଡ଼ି ହୋଇଛନ୍ତି । ଯାହାର ନାଁ ରହିଛି ‘ଟ୍ରୁଥ୍ ସୋସିଆଲ’ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ଏହି ସୋସିଆଲ ପ୍ଲାଟଫର୍ମର ମାଲିକ । ବିଶ୍ୱର ବହୁତ କମ୍ ଲିଡର ଏହି ପ୍ଲାଟଫର୍ମ ସହିତ ଯୋଡ଼ି ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଏବେ ମୋଦି ସାମିଲ ହୋଇଛନ୍ତି ।

ମୋଦି ସୋମବାର ଟ୍ରୁଥ୍ ସୋସିଆଲରେ ନିଜର ପ୍ରଥମ ପୋଷ୍ଟ ଶେୟାର କରିଛନ୍ତି । ଯେଉଁଥିରେ ଟ୍ରମ୍ପ ଓ ମୋଦିଙ୍କ ଫଟୋ ଦେଖିବାକୁ ମିଳିଛି । ଖବର ଅନୁସାରେ ଏ ଫଟୋ ୨୦୧୯ ମସିହାର । ୬ ବର୍ଷ ପୂର୍ବେ ମୋଦି ଟେକ୍ସାସରେ ଟ୍ରମ୍ପଙ୍କୁ ଭେଟିଥିବାବେଳର ଏହା ହେଉଛି ଫଟୋ ।

୨୦୨୨ରେ ଟ୍ରମ୍ପ ଟ୍ରୁଥ୍ ସୋସିଆଲ ଲଞ୍ଚ କରିଥିଲେ । ଜୋ ବାଇଡେନଙ୍କ ବିରୋଧରେ ନିର୍ବାଚନ ହାରିବା ପରେ ଟ୍ରମ୍ପଙ୍କୁ ଏକ୍ସ, ଫେସବୁକ ପରି ସୋସିଆଲ ସାଇଟରୁ ବ୍ୟାନ୍ କରାଯାଇଥିଲା । ଯାହାପରେ ଟ୍ରମ୍ପ ଟ୍ରୁଥ୍ ସୋସିଆଲ ପ୍ଲାଟଫର୍ମ ଲଞ୍ଚ କରିଥିଲେ ।

ଏହି ପ୍ଲାଟଫର୍ମରେ ବର୍ତ୍ତମାନ ସୁଦ୍ଧା ମୋଦିଙ୍କର ୨୧,୫୦୦ ଫଲୋୟର୍ସ ରହିଛନ୍ତି । ଟ୍ରୁଥ୍ ସୋସିଆଲରେ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କୁ ଫଲୋ କରୁଥିବାର ଦେଖିବାକୁ ମିଳିଛି । ସୋମବାର ଟ୍ରମ୍ପ ମୋଦିଙ୍କ ପୋଡକାଷ୍ଟର ଏକ ଲିଙ୍କ ଶେୟାର କରିଥିଲେ ।