fbpx

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜଦଣ୍ଡ ବା ସେନଗୋଲ ପ୍ରଦାନ କରିବାକୁ ଯାଉଥିବା ପୂଜାରୀଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ:ଯେଉଁ ପୂଜାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜଦଣ୍ଡ ବା ସେନଗୋଲ ପ୍ରଦାନ କରିବେ ସେ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏକ ବଡ କଥା କହିଛନ୍ତି । ସେ କହିଛନ୍ତି ନରେନ୍ଦ୍ର ମୋଦି ୨୦୨୪ରେ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବରେ କ୍ଷମତା ହାସଲ କରିବେ । ୨୮ ମେ’ରେ ନୂଆ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜଦଣ୍ଡ ବା ସେନଗୋଲ ପ୍ରଦାନ କରିବାକୁ ଯାଉଥିବା ପୂଜାରୀ ଏହି କଥା କହିଛନ୍ତି ।

ମଦୁରାଇ ଅଧୀନମ୍ ୨୯୩ ତମ ପ୍ରଧାନ ପୂଜାରୀ ଶ୍ରୀ ହରିହର ଦେଶିକା ସ୍ୱାମୀଗଲ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଶ୍ୱ ସ୍ତରରେ ବେଶ୍ ପ୍ରଶଂସା ମିଳୁଛି । ଦେଶରେ ସମସ୍ତେ ତାଙ୍କୁ ନେଇ ଗର୍ବ ଅନୁଭବ କରୁଛନ୍ତି । ତେଣୁ ୨୦୨୪ରେ ସେ ପୁନର୍ବାର ପ୍ର୍ରଧାନମନ୍ତ୍ରୀ ପଦରେ ବସିବା ଉଚିତ । ସ୍ୱାମୀଗଲ୍ କହିଛନ୍ତି, ମୋଦୀ ଏପରି ଜଣେ ନେତା ଯାହାଙ୍କୁ ବିଶ୍ୱ ସ୍ତରରେ ବେଶ୍ ସମ୍ମାନ ମିଳୁଛି । ସେ ଲୋକଙ୍କ ଲାଗି ମଧ୍ୟ ଭଲ କାମ କରୁଛନ୍ତି । ୨୦୨୪ ସେ ପୁଣି ପ୍ରଧାନମନ୍ତ୍ରୀ ହେବା ଉଚିତ ଓ ଜନତାଙ୍କୁ ମାର୍ଗଦର୍ଶନ କରିବା ଉଚିତ । ଆମ ସମସ୍ତଙ୍କୁ ତାଙ୍କ ଉପରେ ଗର୍ବ ଅନୁଭବ ହେଉଛି କାରଣ ବିଶ୍ୱର ସବୁ ନେତା ତାଙ୍କ ପ୍ରଶଂସାରେ ଶତମୁଖର ହୋଇ ଉଠିଛନ୍ତି । ମେ’ ୨୮ ତାରିଖରେ ସେ ନୁଆ ସଂସଦ ଭବନରେ ରାଜଦଣ୍ଡ ସ୍ଥାପନ କରି ଇତିହାସକୁ ପୁଣି ଦୋହରାଇବାକୁ ଯାଉଛନ୍ତି । ଏହି ରାଜଦଣ୍ଡ ତାଙ୍କୁ ମଦୁରାଇ ଅଧୀନମର ପ୍ରଧାନ ପୂଜାରୀ ପ୍ରଦାନ କରିବେ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଏହା ହେଉଛି ସେହି ସେନଗୋଲ୍ ବା ରାଜଦଣ୍ଡ ଯାହାକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହରୁ ଅଗଷ୍ଟ ୧୪ ରାତିରେ ନିଜ ଆବାସରେ କେତେଜଣ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସ୍ୱୀକାର କରିଥିଲେ । ଭାରତ ସ୍ୱାଧୀନତା ପାଇବାର ୭୫ ବର୍ଷ ପରେ ଏହି ରାଜଦଣ୍ଡ ସଂସଦରେ ସ୍ଥାପନ ହେବାକୁ ଯାଉଛି । ଏହି ସେନଗୋଲକୁ ନିର୍ମାଣ ଲାଗି ଏକ ମାସ ସମୟ ଲାଗିଥିଲା । ଏହା ଉପରେ ରୂପା ଓ ସୁନାର କୋଟିଂ ଦିଆଯାଇଛି ।

Get real time updates directly on you device, subscribe now.