fbpx
BJD SKY
BJD SKY

୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିପକ୍ଷରେ ନୀତିଶ କୁମାର ବଡ ଦାବିଦାର ! କଣ ସମର୍ଥନ ଦେବ ସବୁ ଦଳ

BJD

ନୂଆଦିଲ୍ଲୀ: ୨୦୨୫ ବିହାର ବିଧାନସଭା ନିର୍ବାଚନ ତେଜସ୍ଵୀ ଯାଦବଙ୍କ ନେତୃତ୍ଵରେ ଲଢାଯିବ। ମଙ୍ଗଳବାର ଏମିତି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ତେବେ ସେ ସ୍ପଷ୍ଟ କରିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ ହେବେ ନାହିଁ। ସବୁ ଦଳକୁ ନେଇ ବିଜେପିକୁ ହରାଇବାକୁ ଚାହାନ୍ତି ବୋଲି ନୀତିଶ କୁମାର କହିଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏହି ଚାଞ୍ଚଲ୍ୟକର ବୟାନ ପୁଣି ଥରେ ଜାତୀୟ ରାଜନୀତିକୁ ସରଗରମ କରିଛି। ତେବେ ତାଙ୍କର ସଦ୍ୟତମ ବୟାନରୁ ଏହି ସଙ୍କେତ ମିଳିଛି ଯେ, ନୀତିଶ କୁମାର ୨୦୨୪ ଲୋକସଭା ନିର୍ବାଚନରେ ସମ୍ଭାବିତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ପାରିବେ। ଆଜିର ନୀତିଶଙ୍କ ବଡ ଘୋଷଣା କଣ ଏହି ସଙ୍କେତ ଦେଉଛି ?

ମିଶନ ୨୦୨୪ର ପ୍ରସ୍ତୁତି ପାଇଁ ସମସ୍ତ ଦଳ ଅଣ୍ଟା ଭିଡିବା ଆରମ୍ଭ କଲେଣି। ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁକାବିଲା ପାଇଁ ବିରୋଧୀ ଦଳ ରଣନୀତି ପ୍ରସ୍ତୁତିରେ ଲାଗି ପଡିଛନ୍ତି। କିଛି ମାସ ପୂର୍ବେ ଏନଡିଏ ସହିତ ମେଣ୍ଟ କରି ସରକାରରେ ଥିବା ନୀତିଶ କୁମାର ବର୍ତ୍ତମାନ ଆରଜେଡି ସହ ସରକାର ଗଢି ନିଜ ଛବିକୁ ଆହୁରି ବଳିଷ୍ଠ କରିବାରେ ଲାଗିଛନ୍ତି। ତେଣୁ ସେ ରାଜ୍ୟରୁ ବାହାରି ଜାତୀୟ ରାଜନୀତିରେ ନିଜର ସ୍ଥିତି ଜାହିର କରିବାକୁ ମନସ୍ତ କରିଲେଣି। ଏହି ପରିପ୍ରେକ୍ଷୀରେ ସେ ତେଜସ୍ଵୀ ଯାଦବଙ୍କୁ ରାଜ୍ୟର ଶାସନଭାରର ଚାବିକାଠି ଦେବା ଉଦ୍ଦେଶ୍ୟରେ ଆଜି ଏହି ବଡ ଘୋଷଣା କରିଛନ୍ତି। ଏମିତି ହେଲେ ବିହାରରେ ନିଜ ଦଳ ସହିତ ଆରଜେଡି ଏବଂ କଂଗ୍ରେସର ସମର୍ଥନ ମିଳି ପାରିବ।

ବିରୋଧୀ ଦଳର ଜଣେ ବରିଷ୍ଠ ନେତା କହିଥିଲେ, ନୀତିଶ କୁମାର ପ୍ରଧାନମନ୍ତ୍ରୀ ହେବା ପାଇଁ ଆକାଂକ୍ଷା ରଖୁଥିବା ନେତାଙ୍କ ମଧ୍ୟରୁ ଜଣେ। ଏମିତି ନେତାଙ୍କ ତାଲିକାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚେନ୍ଦ୍ରଶେଖର ରାଓଙ୍କ ବ୍ୟତୀତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସାମିଲ୍।ତେବେ ନିକଟ ଦିନରେ ନୀତିଶ କୁମାର ରାଜଧାନୀ ଦିଲ୍ଲୀରେ ବିଭିନ୍ନ ବିରୋଧୀ ଦଳର ମୁଖିଆଙ୍କ ସହ ସାକ୍ଷାତ କରି ବିରୋଧୀଙ୍କୁ ଗୋଟିଏ ଛତା ତଳକୁ ଆଣିବାକୁ ପ୍ରୟାସ ଚଳାଇଥିଲେ। କଂଗ୍ରେସର ଗୋଟିଏ ଆଭିମୁଖ୍ୟ ହେଲା ବିଜେପିକୁ ହରାଇବା । ତେଣୁ ଏଥିପାଇଁ ସେ କାର୍ଯ୍ୟ କରିବ ।

ଜନତା ଦଳ ୟୁନାଇଟେଡ୍(ଜେଡିୟୁ)ର ରାଷ୍ଟ୍ରୀୟ ସଂସଦୀୟ ବୋର୍ଡର ଅଧ୍ୟକ୍ଷ ଉପେନ୍ଦ୍ର କୁଶଓ୍ଵାହା କହିଥିଲେ ଯେ ଦେଶର ବ୍ୟକ୍ତିମାନଙ୍କ ଆକଳନ କରିବା ତେବେ ନୀତିଶ କୁମାର ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ। ଆମେ ଆଜି ଏହି ଦାବି କରୁନୁ। କିନ୍ତୁ ବାସ୍ତବ ଏହା ତାଙ୍କ ନିକଟରେ ପ୍ରଧାନମନ୍ତ୍ରୀ ହେବାର ସମସ୍ତ ଗୁଣ ରହିଛି। ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ନେତା ଶରଦ ଯାଦବ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ନୀତିଶ କୁମାର ୨୦୨୪ର ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ପାରନ୍ତି। ହେଲେ ନୀତିଶ କୁମାର ଅଦ୍ୟାବଧି ଏହି ବିଷୟରେ କୌଣସି ଜବାବ ଦେଇ ନାହାନ୍ତି।

ନୀତିଶ କୁମାର ଏନଡିଏ ସହ ସଂପର୍କ ଛିନ୍ନ କରି ମହାମେଣ୍ଟ ସହ ସରକାର ଗଠନ କରିବାକୁ ଘୋଷଣା କରିବା ସମସ୍ତଙ୍କୁ ଚକିତ କରିଥିଲା। ନୀତିଶ କୁମାର ଯେବେ ମହାମେଣ୍ଟରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ତା ପରଠୁ ଜେଡିୟୁ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦର୍ଶାଇ ଆସିଛି। ଖୋଦ୍ ନୀତିଶ କୁମାର ଏହି ସବୁ ପ୍ରଶ୍ନକୁ ଏଡାଇ ଦେଲେ ମଧ୍ୟ ବିନା ନିଆଁରେ କିଛି ଧୂଆଁ ବାହାରେ ନାହିଁ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଭିତିରିଆ ସୂତ୍ର ଅନୁଯାୟୀ, ନୀତିଶ କୁମାର ବିରୋଧୀଙ୍କ ମିଳିତ ପ୍ରାର୍ଥୀ ହେବା ପାଇଁ ପୂରା ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। କିନ୍ତୁ ବଡ ପ୍ରଶ୍ନ ଏହା ଯେ, ସବୁ ବିରୋଧୀଙ୍କୁ ସେ କଣ ଗୋଟିଏ ମଞ୍ଚକୁ ଆଣି ପାରିବେ।

ଲୋକସଭା ନିର୍ବାଚନକୁ ଆଉ ପ୍ରାୟ ଦେଢ ବର୍ଷ ସମୟ ବାକି ରହିଛି। ଏମିତିରେ ବିରୋଧୀ ଦଳ ନିଜର ପ୍ରସ୍ତୁତି ଜୋରଦାର କରିବା ସହ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ନୀତିଶ କୁମାର ଯଦି ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଦୌଡରେ ନିଜକୁ ସାମିଲ୍ କରାନ୍ତି ତେବେ ତାଙ୍କ ପାଇଁ ମାର୍ଗ ସେତେଟା ସହଜ ହେବ ନାହିଁ। କାରଣ କଂଗ୍ରେସ ହେଉ କି ଏନସିପି କିମ୍ବା ଟିଏମସି ଦଳ ନୀତିଶ କୁମାରଙ୍କୁ ମିଳିତ ବିରୋଧୀ ପ୍ରାର୍ଥୀ କରିବାକ ପସନ୍ଦ କରି ନପାରନ୍ତି। ଅପର ପକ୍ଷେ ନୀତିଶ କୁମାର ହିଁ ଅନେକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଖୋଲାଖୋଲି ବିରୋଧ କରିଛନ୍ତି। ସେ ୨୦୧୦ ରାଜ୍ୟସଭା ନିର୍ବାଚନ ହେଉ କି ୨୦୧୩ ନୀତିଶ ଏନଡିଏ ସହ ସଂପର୍କ ଛିନ୍ନ କରିବାର ସତସାହାସ ଦେଖାଇଛନ୍ତି। ପୁଣି ୨୦୧୫ରେ ମହାମେଣ୍ଟ ସହ ମିଶି ବିଜେପି ବିରୋଧରେ ନିର୍ବାଚନ ଲଢିଥିଲେ। ରାଜନୈତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖିଲେ ବିରୋଧୀ ଦଳଗୁଡିକ ହୃଦବୋଧ ହେଉଛି ଯେ, ନୀତିଶ କୁମାର ଜଣେ ମଜବୁତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ପାରିବେ। ମାତ୍ର ସଂପ୍ରତି କୌଣସି ବିରୋଧୀ ଦଳ ନିଜ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି।

Get real time updates directly on you device, subscribe now.