ଭୁବନେଶ୍ୱର: ଓଡ଼ିଶା ଦେଇ ଚାଲିବାକୁ ଥିବା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଚଳାଚଳା କରିବାକୁ ଥିବା ଦେଶର ଦୁଇଟି ଅମୃତ ଭାରତ ଏକ୍ସପ୍ରେସକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ଅଯୋଧ୍ୟା ଗସ୍ତ ଅବସରରେ ଶୁଭାରମ୍ଭ କରିବେ । ଏହି ଅବସରରେ ସେ ୬ଟି ନୂଆ ବନ୍ଦେ ଭାରତ ଟ୍ରେନ୍କୁ ମଧ୍ୟ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଲୋକାପି ର୍ତ ହେବାକୁ ଥିବା ପ୍ରଥମ ଅମୃତ ଭାରତ ଏକ୍ସପ୍ରେସ୍ ଅଯୋଧ୍ୟା, ନୂଆଦିଲ୍ଲୀ ଓ ବିହାର ଦରଭଙ୍ଗା ମଧ୍ୟରେ ଚଳାଚଳ କରିବ ।
ଦ୍ୱିତୀୟଟି ପଶ୍ଚିମବଙ୍ଗର ମାଲ୍ଦାରୁ ବାହାରି ଓଡ଼ିଶା ଦେଇ ବେଙ୍ଗାଲୁରୁ ମଧ୍ୟରେ ଚଳାଚଳ କରିବ । ଏହି ଟ୍ରେନ୍ ଓଡ଼ିଶାରେ ଜଳେଶ୍ୱରସୋର-ବାଲେଶ୍ୱର, ଭଦ୍ରକ-କଟକ-ଭୁବନେଶ୍ୱର, ଖୋର୍ଦ୍ଧାରୋଡ ଏବଂ ବ୍ରହ୍ମପୁର ଷ୍ଟେସନ୍ରେ ରହିଣୀ କରିବ । ଆସନ୍ତାକାଲି ପଶ୍ଚିମବଙ୍ଗର ମାଲ୍ଦାରୁ ବାହାରି ରାତିରେ ଭଦ୍ରକରେ ପହଞ୍ଚିବ । ୩୧ ତାରିଖ ସକାଳୁ କଟକ ରେଳଷ୍ଟେସନ୍ରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବ ବୋଲି ରେଳବାଇ ସୂତ୍ରରୁ ଜଣାପଡିଛି । ଘଣ୍ଟାପ୍ରତି ୧୩୦ କିଲୋମିଟର ବେଗରେ ଚଳାଚଳ କରିବାକୁ ଏହି ଟ୍ରେନ୍କୁ ଅନୁମତି ମିଳିଛି ।
ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ସମସ୍ତ କୋଚ୍ଗୁଡ଼ିକ ଅଣଶୀତତାପ ନିୟନ୍ତ୍ରିତ ଥିବାବେଳେ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ବିଶେଷ ସୁବିଧା ରହିଛି । ଟ୍ରେନ୍ଟିରେ ୧ ହଜାର ୮୩୪ ଯାତ୍ରୀ ଯିବାର ସୁବିଧା ରହିଛି । ସୂଚନାଯୋଗ୍ୟ, ବର୍ତ୍ତମାନ ଓଡ଼ିଶାରେ ପୁରୀରୁ କୋଲକତା ଏବଂ ରାଉରକେଲାକୁ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚାଲୁଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ଦେଇ ଅମୃତ ଭାରତ ଏକ୍ସପ୍ରେସ୍ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରଣାଳୟର ନିଷ୍ପତ୍ତି ରେଳ ମାନଚିତ୍ରରେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେଇଛି ।