fbpx

ମୋଇନ ଅଲୀଙ୍କ ଅର୍ଦ୍ଧଶତକ: ସେମିରେ ନ୍ୟୁଜିଲାଣ୍ଡ ପାଇଁ ୧୬୭ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଆରମ୍ଭ ହୋଇ ଯାଇଛି ଟି-୨୦ ବିଶ୍ୱକପର ନକଆଉଟ ପର୍ଯ୍ୟାୟ । ପ୍ରଥମ ସେମିରେ ପରସ୍ପର ସମ୍ମୁଖୀନ ହୋଇଛନ୍ତି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪ ୱିକେଟ ହରାଇ ୧୬୬ ରନ ସଂଗ୍ରହ କରିଛି । ଦଳ ପକ୍ଷରୁ ମୋଇନ ଅଲୀ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଡାୱିଡ ମଲାନ ଏବଂ ଜୋସ ବଟଲର ଉପଯୋଗୀ ଅବଦାନ ରଖିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ସାଉଦି, ଆଡାମ ମିଲନେ, ଇସ୍ ସୋଧୀ ଓ ଜିମି ନିଶାମ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଆବୁଧାବିରେ ଖେଳା ଯାଇଥିବା ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଜୋସ ବଟଲର(୨୯) ଓ ଜନି ବେୟାରଷ୍ଟୋ(୧୩) ପ୍ରଥମ ୱିକେଟରେ ୩୭ ରନ ଯୋଡିଥିଲେ । ୧୬ ରନ ବ୍ୟବଧାନରେ ସୋଧୀଙ୍କୁ ରିଭର୍ସ ସ୍ୱିପ ଖେଳିବାକୁ ଯାଇ ବଟଲର ଆଉଟ ହୋଇଥିଲେ । ଡାୱିଡ ମଲାନ(୪୧) ଏବଂ ମୋଇନ ଅଲୀ(୫୧)ଙ୍କ ମଧ୍ୟରେ ୬୩ ରନର ଭାଗିଦାରୀ ହୋଇଥିଲା । ମଲାନ ୩୦ ବଲରୁ ୪ ଚୌକା ଓ ୧ ଛକା ସହିତ ୪୧ ରନ ସଂଗ୍ରହ କରିଥିଲେ । ମୋଇନ ଅଲୀ ୩୭ ବଲରୁ ୩ ଚୌକା ଓ ୨ ଛକା ସହିତ ୫୧ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲିଆମ ଲିଭିଙ୍ଗଷ୍ଟୋନ ୧୭ ରନର ଅବଦାନ ଦେଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି, ଆଡାମ ମିଲନେ, ଇସ୍ ସୋଧୀ ଓ ଜିମି ନିଶାମ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.