fbpx

ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ବେଲ୍: ପ୍ରତିକ୍ରିୟାରେ ଏପରି କହିଲେ ବିଧାୟକ

କଟକ: ଓଆରଏଚଡିସି ଦୁର୍ନୀତି ମାମଲାରେ କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମଙ୍କୁ ଜେଲ ଦଣ୍ଡର ଆଦେଶ ମିଳିଥିବା ବେଳେ ଆସିଛି ଆଉ ଏକ ବଡ଼ ଖବର । ଏହି ମାମଲାରେ ମୋକିମଙ୍କ ଜାମିନ ମଞ୍ଜୁର କରିଛନ୍ତି ଏସଡିଜେଏମ କୋର୍ଟ । ଏହା ସହ ଭିଜିଲାନ୍ସ କୋର୍ଟଙ୍କ ରାୟ ନେଇ ମହମ୍ମଦ ମୋକିମ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ତାଙ୍କ କହିବା ମୁତାବକ, ଭିଜିଲାନ୍ସ କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଯିବୁ । ଆଇଏଏସ ବିନୋଦ କୁମାରଙ୍କୁ ସେତେବେଳେ ଟାର୍ଗେଟ କରି ଆମକୁ ଫସାଇଛନ୍ତି । ଆମେ ଦେଢ଼ କୋଟି ଟଙ୍କା ଋଣ ନେଉଥିଲୁ, ସେଥିରୁ ୧.୨୬ କୋଟି ଟଙ୍କା ଶୁଝିଥିଲୁ । କୌଣସି ପ୍ରକାର ଅନୀତି ହୋଇନି ବୋଲି ମହମ୍ମଦ ମୋକିମ କହିଛନ୍ତି । ଯେଉଁ କୋର୍ଟ ଦଣ୍ଡାଦେଶ କରିଛନ୍ତି, ସେହି କୋର୍ଟ ଜାମିନ ବି ଦେଇଛନ୍ତି । ମୁଁ ଜାମିନିରେ ଅଛି ବୋଲି ବିଧାୟକ କହିଛନ୍ତି ।

ତେବେ ଓଆରଏଚଡିସି ଦୁର୍ନୀତି ମାମଲାରେ ଆଜି ଶୁଣାଣି କରିଛନ୍ତି ଭିଜିଲାନ୍ସ କୋର୍ଟ । ଏହି ମାମଲାରେ କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମଙ୍କୁ ୩ ବର୍ଷର ଜେଲ ଦଣ୍ଡାଦେଶ ମିଳିଛି । ଏହା ସହିତ ପୂର୍ବତନ ଆଇଏଏସ ବିନୋଦ ମୁକାରଙ୍କୁ ମଧ୍ୟ ଜେଲ ଦଣ୍ଡାଦେଶର ଶୁଣାଣି ହୋଇଛି । ଏହି ମାମଲାରେ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଞ୍ଜନ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷର ଜେଲ ଦଣ୍ଡ ମିଳିଛି ।

ସେହିପରି ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଜେଲ ଦଣ୍ଡାଦେଶର ଆଦେଶ ଦିଆଯାଇଛି । ସମସ୍ତ ୪ ଜଣଙ୍କୁ ଜେଲ ସହ ୫୦ ହଜାର ଲେଖାଏଁ ଜରିମାନା ଦେବାକୁ ଆଦେଶ ଦିଆଯାଇଛି । ଅନୁଚିତ ଅନୁଗ୍ରହ ଦେଖାଇ ଋଣ ଦେବା ମାମଲାରେ ଏହି ଦଣ୍ଡାଦେଶ ଦିଆଯାଇଛି । ଓଆରଏଚଡିସି ଅଧ୍ୟକ୍ଷ ଥିବା ବେଳେ ଋଣ ଦେଇଥିଲେ ବିନୋଦ କୁମାର । ମେଟ୍ରୋ ବିଲଡର୍ସକୁ ୧୫୦ ଲକ୍ଷ ଟଙ୍କାର ଋଣ ଦେଇଥିଲା ଓଆରଏଚଡିସି ।

Get real time updates directly on you device, subscribe now.