fbpx

ପଦ ଛଡାଇନେବ ଜେଲଦଣ୍ଡ! ନିର୍ବାଚନରୁ ୬ ବର୍ଷ ଦୂରେଇ ପାରନ୍ତି ମହମ୍ମଦ ମୋକିମ

କଟକ: ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ପାଇଁ ଆସିଛି ଏକ ବଡ ଚାଲେଞ୍ଜ । ଏବେ ରାଜନୀତିର ଦୋଛକିରେ ଫସିଛନ୍ତି ଖୋଦ ବିଧାୟକ ମହମ୍ମଦ ମୋକିମ । ଏମିତି ପରିସ୍ଥିତିରେ ସେ ଫସିଛନ୍ତି ଯେ, ହାତରେ ଥିବା ବିଧାୟକ ପଦ ମଧ୍ୟ ଖସି ଯିବାର ସମ୍ଭାବନା ଦେଖା ଦେଇଛି । ଜେଲ ଦଣ୍ଡ ତାଙ୍କ ରାଜନୀତି କ୍ୟାରିୟର ପାଇଁ ବିପଦ ପାଲଟିପାରେ । ନିୟମ ଅନୁସାରେ, ୨ ବର୍ଷରୁ ଅଧିକ ସମୟ ପାଇଁ ଜେଲଦଣ୍ଡରେ ଦଣ୍ଡିତ ହୋଇଥିବାରୁ ବିଧାୟକ ପଦ ହରାଇବା ସହ ତାଙ୍କୁ ୬ ବର୍ଷ ପାଇଁ ନିର୍ବାଚନ ବାରଣ ହୋଇପାରେ ।

ତେବେ ଏ ନେଇ କେବଳ ନିର୍ବାଚନ କମିଶନଙ୍କୁ ଅବଗତ କରାଇବେ ବାଚସ୍ପତି । ପୂର୍ବରୁ ଏଭଳି ଘଟଣାରେ ଅନେକ ରାଜନେତା ନିଜର ସଭ୍ୟ ପଦ ହରାଇଥିବାର ଉଦାହରଣ ଦେଖିବାକୁ ମିଳିଛି । ୨୦୧୩ରେ ଉତ୍ତରପ୍ରଦେଶରୁ ରାଜ୍ୟସଭାରେ ଏମିତି ପରିସ୍ଥିତି ପାଇଁ କଂଗ୍ରେସ ସାଂସଦ ଥିବା ରଶିଦ ମାସୁଦଙ୍କ ସଭ୍ୟ ପଦ ଯାଇଥିଲା। ରସିଦ ୯ ଥର ଲୋକସଭା ଓ ରାଜ୍ୟସଭାରେ ସାଂସଦ ହୋଇଥିଲେ। କିନ୍ତୁ ମେଡ଼ିକାଲ ସିଟ ବିକିବା ଅଭିଯୋଗରେ ୪ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ପାଇବା ପରେ ନିଜ ସାଂସଦ ପଦବୀ ହରାଇଥିଲେ ରଶିଦ ।

ସେହିପରି ୨୦୧୯ରେ ମଧ୍ୟପ୍ରଦେଶରେ ବିଜେପି ବିଧାୟକ ପ୍ରହଲ୍ଲାଦ ଲୋଧିଙ୍କ ସଭ୍ୟ ପଦ ମଧ୍ୟ ହାତରୁ ଖସି ଯାଇଥିଲା । ଅନ୍ୟ ୧୨ ଜଣଙ୍କ ସହ ତହସିଲଦାରଙ୍କୁ ମାଡ଼ ମାରିବା ଅଭିଯୋଗରେ ସେ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇଥିଲେ। ଯାହା ଫଳରେ ବିଧାୟକ ପଦରୁ ତାଙ୍କୁ ହଟିବାକୁ ପଡିଥିଲା ।

ଗତକାଲି ଓଆରଏଚଡିସି ମାମଲାରେ ମୋକିମଙ୍କୁ ୩ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ମୋକିମଙ୍କ ସହ ପୂର୍ବତନ ଆଇଏଏସ ବିନୋଦ ମୁକାରଙ୍କୁ ମଧ୍ୟ ଜେଲ ଦଣ୍ଡାଦେଶ ହୋଇଥିଲା । ତେବେ ପରେ ମୋକିମଙ୍କୁ ଏହି ମାମଲାରେ ଜାମିନ ମିଳିଛି ।

Get real time updates directly on you device, subscribe now.