fbpx

ମୋହନ ମାଝି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ: ୨ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛନ୍ତି ବିଜେପିର ଦୁଇ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ । ମୋହନ ଚରଣ ମାଝି ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏଥିସହିତ ୨ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ଶ ନୂଆ ସରକାରରେ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ । ଏନେଇ ଦଳର ଦୁଇ ପର୍ଯ୍ୟବେକ୍ଷକ ଘୋଷଣା କରିଛନ୍ତି ।

ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣାକୁ ନେଇ ବେଶ୍ କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ପାଇଥିବା ବେଳେ ଏବେ ନାମ ଘୋଷଣା ସରିବା ପରେ ଉକ୍ତ ଚର୍ଚ୍ଚାର ଅବସାନ ଘଟିଛି । ମୋହନ ୨୦୨୪ ବିଧାନସଭା ନିର୍ବାଚନରେ କେନ୍ଦୁଝର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ମୀନା ମାଝିଙ୍କୁ ପରାସ୍ତ କରିଥିଲେ । ମୋହନ ୮୭ ହଜାର ୮୧୫ ଖଣ୍ଡ ଭୋଟ ପାଇଥିବା ବେଳେ ମୀନା ୭୬ ହଜାର ୨୩୮ ଖଣ୍ଡ ଭୋଟ ପାଇଥିଲେ ।

ସେହିପରି କନକ ବର୍ଦ୍ଧନ ଏଥର ପାଟଣାଗଡ଼ ବିଧାନସଭା ଆସନରୁ ବିଜୟୀ ହୋଇଥିବା ବେଳେ ସେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ସରୋଜ ମେହେରଙ୍କୁ ପରାସ୍ତ କରିଥିଲେ । କନକ ବର୍ଦ୍ଧନ ୯୩,୮୨୩ ଖଣ୍ଡ ଭୋଟ ପାଇଥିବା ବେଳେ ସରୋଜ ୯୨,୪୬୬ ଖଣ୍ଡ ଭୋଟ ପାଇଥିଲେ । ସେହିପରି ପ୍ରଭାତୀ ଚଳିତ ନିର୍ବାଚନରେ ନିମାପଡ଼ା ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଦିଲ୍ଲୀପ କୁମାର ନାୟକଙ୍କୁ ପରାସ୍ତ କରିଥିଲେ । ପ୍ରଭାତୀ ୯୫,୪୩୦ ଖଣ୍ଡ ଭୋଟ ପାଇଥିବା ବେଳେ ଦିଲ୍ଲୀପ ୯୦,୮୪୨ ଖଣ୍ଡ ଭୋଟ ପାଇଥିଲେ ।

Get real time updates directly on you device, subscribe now.