fbpx

‘ସୁଭଦ୍ରା ଯୋଜନା’ର ଫର୍ମ ଜାରି କଲେ ମୋହନ ସରକାର: ୧ କୋଟି ମହିଳା ହେବେ ଉପକୃତ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର: ମହିଳାମାନଙ୍କ ବିକାଶ ପାଇଁ ‘ସୁଭଦ୍ରା ଯୋଜନା’କୁ ନେଇ ରାଜ୍ୟ ସରକାର ଖୁବ ତତ୍ପରତା ଦେଖାଇଛନ୍ତି । ଗତକାଲି ହାର ଗାଇଡଲାଇନ୍ସ ଜାରି ହୋଇଥିବା ବେଳେ ବର୍ତ୍ତମାନ ଏହି ଯୋଜନାର ଫର୍ମ ଜାରି କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନା ନେଇ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପ୍ରତିକ୍ରିୟା ରଖିଛନ୍ତି । ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ ବିକାଶର ଏକ ନୂଆ ସୂର୍ଯ୍ୟୋଦୟ ଦେଖାଇବ ବୋଲି ଆଶା ରହିଛି ।

ସୁଭଦ୍ରା ଯୋଜନା ଫର୍ମ ଜାରି ହେବା ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ମହିଳାମାନଙ୍କ ପାଇଁ ଜାରି ହୋଇଥିବା ସୁଭଦ୍ରା ଯୋଜନା ବିକଶିତ ଓଡ଼ିଶାର ମୂଳପିଣ୍ଡ ହେବ । ୭୪ ହଜାର ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି ଯୋଜନା ପାଇଁ ଫର୍ମ ପ୍ରଦାନ କରାଯିବ । ବିକାଶଭିମୁଖୀ ଏହି ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଓଡ଼ିଶାର ପ୍ରାୟ ୧ କୋଟି ୮ ଲକ୍ଷ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯିବ ।

କିପରି କରିବେ ଆବେଦନ?

ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ମହିଳାମାନଙ୍କୁ ନିକଟସ୍ଥ ଅଙ୍ଗନୱାଡ଼ି କେନ୍ଦ୍ର, ବ୍ଲକ କାର୍ୟ୍ୟାଳୟ, ମୋ ସେବା କେନ୍ଦ୍ର ବା ଜନ ସେବା କେନ୍ଦ୍ରକୁ ଯିବାକୁ ପଡ଼ିବ । ଏଠାରେ ମାଗଣାରେ ଉପଲବ୍ଧ ଥିବା ଫର୍ମ ପୂରଣ କରି ସୁଭଦ୍ରା ଯୋଜନାରେ ନିଜକୁ ସାମିଲ କରିପାରିବେ । ତେବେ ଏହି ଯୋଜନା ପାଇଁ ଏକ କଲ୍ ସେଣ୍ଟର ବ୍ୟବସ୍ଥା ମଧ୍ୟ ହେବ । ଏହାର କାର୍ୟ୍ୟକାରିତା ଏବଂ ତଦାରଖ କରିବାକୁ ମହିଳା ଏବଂ ଶିଶୁ ବିକାଶ ବିଭାଗ ତରଫରୁ ଏକ “ସୁଭଦ୍ରା” ସମିତି(ସୋସାଇଟି) ଗଠନ କରାଯିବ । “ସୁଭଦ୍ରା” ଯୋଜନାର ଶୁଭାରମ୍ଭ ଯଥାଶୀଘ୍ର କରିବା ପାଇଁ ସରକାର ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଉଛନ୍ତି ।

Get real time updates directly on you device, subscribe now.